ନୂଆଦିଲ୍ଲୀ, ୩୦/୦୭ : ଋଷର ପୂର୍ବ କୈମଚଟକା ଅଞ୍ଚଳରେ ଆଜି ସକାଳୁ ବଡ଼ ଧରଣର ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୭ ରହିଛି । ୟୁଏଏସ୍ ଜିୟୋଲୋଜିକାଲ ସର୍ଭେର ସୂଚନା ମୁତାବକ, ଭୂମିକମ୍ପର କେନ୍ଦ୍ରସ୍ଥଳ ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଛି । ଫଳରେ ଜାପାନ ଓ ଆମେରିକାର ଏଜେନ୍ସି ସୁନାମୀର ଆଲର୍ଟ ଜାରି କରିଛନ୍ତି । ସମୁଦ୍ରରେ ବଡ଼ ଲହଡ଼ି ଆସିବା ସହ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବ ବୋଲି ଆଲର୍ଟ କରାଯାଇଛି । ୟୁଏଏସ୍ ଜିୟୋଲୋଜିକାଲ ସର୍ଭେ ମୁତାବକ, ଭୂମିକମ୍ପର କେନ୍ଦ୍ରସ୍ଥଳୀ ସମୁଦ୍ରର ଗର୍ଭର ମାତ୍ର ୧୯ କିଲୋମିଟର ତଳେ ହୋଇଛି । ଏହି ଭୂକମ୍ପରେ ଋଷ ସହ ଜାପାନର ହୋକାଇଦୋ, କାଣ୍ଟୋସ୍ ଇଜୁ ଓ ଓଗାସାବନା ଦ୍ବୀପ ଗୁଡ଼ିକରେ ସୁନାମୀ ଆଲର୍ଟ ଜାରି କରାଯାଇଛି । ଏସବୁ ଅଞ୍ଚଳରେ ଲୋକଙ୍କୁ ଉଚ୍ଚ ଓ ସୁରକ୍ଷିତ ସ୍ଥାନକୁ ପଳାଇଯିବାକୁ କୁହାଯାଇଛି। ଋଷରେ ଏହି ଭୂକମ୍ପ ଫଳରେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଥିବାବେଳେ ଅନ୍ୟ କ୍ଷୟକ୍ଷତି ନେଇ ବିଶେଷ କିଛି ସୂନା ଏଯାଏଁ ମିଳିନାହିଁ ।