ନୂଆଦିଲ୍ଲୀ, ୨୭/୦୩ : ଜାପାନ ଉପକୂଳରେ ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲରେ ୬.୫ତୀବ୍ରତାରେ ଥରିଲା ସାନ୍ ରିକୁ ଅଞ୍ଚଳ। ଉତ୍ତର ଜାପାନର ଇୱାଟେ ପ୍ରଦେଶ ଅନ୍ତର୍ଗତ ସାନ ରିକୁ ଉପକୂଳରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୬.୫ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ପ୍ରଶାନ୍ତ ମହାସାଗର ମଧ୍ୟରେ ଇୱାଟେ ପ୍ରଦେଶର ୟାମାଦା ଠାରୁ ପ୍ରାୟ ୧୨୨ କିଲୋମିଟର ଦୂରରେ ଥିଲା। ସମୁଦ୍ର ପତ୍ତନରୁ ମାତ୍ର ୯.୫ ରୁ ୧୦ କିଲୋମିଟର ଗଭୀରରେ ହୋଇଥିଲ ଭୂକମ୍ପ। କମ୍ ଗଭୀରରେ ଭୂକମ୍ପ ହୋଇଥିବାରୁ ସ୍ଥଳଭାଗରେ ଝଟକା ଅଧିକ ଅନୁଭୂତ ହୋଇଛି।
ଉତ୍ତର-ପୂର୍ବ ଜାପାନର ଅନେକ ସ୍ଥାନରେ ଏହି ଝଟକା ଅନୁଭୂତ ହୋଇଛି। ଲୋକମାନେ ଆତଙ୍କିତ ହୋଇ ଘରୁ ବାହାରକୁ ଚାଲିଆସିଥିଲେ। ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ଧରଣର ସୁନାମୀ ସତର୍କତା ଜାରି କରାଯାଇ ନାହିଁ କିମ୍ବା ସମୁଦ୍ରରେ ବଡ଼ ଲହରୀ ଉଠିନାହିଁ। ଏଯାଏ କୌଣସି ବଡ଼ ଧରଣର ଧନଜୀବନ ହାନି କିମ୍ବା କ୍ଷୟକ୍ଷତିର ଖବର ମିଳିନାହିଁ। ଭୂକମ୍ପ ପରେ ୪.୯ ଏବଂ ୪.୫ ତୀବ୍ରତାର ପଶ୍ଚାତ କଂପନ ଅନୁଭୂତ ହୋଇଛି। ଆଗକୁ ମଧ୍ୟ ଏପରି ଝଟକା ଆସିବାର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।
Prev Post