କଟକ, ୨/୭ : ଆଜି ଚୌଦ୍ବାର ଜେଲ୍ ପରିଦର୍ଶନ କରିଛନ୍ତି ଓଡିଶା ଦକ୍ଷତା ବିକାଶର ଅଧ୍ୟକ୍ଷ ସୁବ୍ରତ ବାଗଚୀ । ପରିଦର୍ଶନରେ ଆସି ଜେଲ୍ କର୍ତ୍ତୃପକ୍ଷ ଓ ଅନ୍ତେବାସୀଙ୍କ ସହ ପୁଙ୍ଖାନୁଫୁଙ୍ଖ ଆଲୋଚନା କରିଛନ୍ତି । ଚୌଦ୍ବାର ଜେଲ୍ ହେଉଛି ଓଡିଶାର ଶ୍ରେଷ୍ଠ ଜେଲ୍ ମଧ୍ୟରୁ ଅନ୍ୟତମ । ଜେଲ୍ରେ ଥିବା ଅନ୍ତେବାସୀମାନଙ୍କୁ ନୂତନ ଜ୍ଞାନ କୌଶଳ ମାଧ୍ୟମରେ ପ୍ରଶିକ୍ଷଣ ଦେଲେ ବାଗଚୀ । ଅନ୍ତେବାସୀମାନେ କିପରି ରୋଜଗାରକ୍ଷମ ହୋଇପାରିବେ ସେ ବିଷୟରେ ଏକ ଖସଡ଼ା ପ୍ରସ୍ତୁତ କରିବା ପାଇଁ ଜେଲ୍ ଡିଜି ଶୁଭକାନ୍ତ ମିଶ୍ରଙ୍କ ସହ ଆଲୋଚନା କରିଛନ୍ତି ।
ଚୌଦ୍ବାର ଜେଲ୍କୁ ଏକ ମଡେଲ ପ୍ରସ୍ତୁତ କରାଯାଇପାରିବ ବୋଲି ସୁବ୍ରତ ବାଗଚୀ କହିଛନ୍ତି । ଯେଉଁଥିରେ ରାଜ୍ୟରେ ଥିବା ଜେଲ୍ ଗୁଡିକ ସାମିଲ ହୋଇପାରିବ । ଜେଲ୍ରେ ରହୁଥବା ୨୦ହଜାରରୁ ଉର୍ଦ୍ଧ୍ବ ଆଜୀବନ ଓ ବିଚାରଧିନ କଏଦୀ ମଧ୍ୟରୁ ୧୦ରୁ ୧୫ ହଜାର କଏଦୀଙ୍କୁ କାର୍ଯ୍ୟରେ ନିୟୋଜିତ କରିପାରିଲେ ଜୀବନ ସାର୍ଥକ ହେବ ବୋଲି ସୁବ୍ରତ ବାଗଚୀ କହିଛନ୍ତି ।
ଅନ୍ୟପଟେ ଡିଜି ପ୍ରିଜିନ୍ସ ନିର୍ଦ୍ଦେଶ ଅନୁଯାୟୀ ଜେଲ୍ କର୍ତ୍ତୃପକ୍ଷ ଖୁବ୍ ଶୀଘ୍ର ଏକ ଖସଡା ପ୍ରସ୍ତୁତ କରିବେ । ଯେଉଁଥିରେ କଏଦୀମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭାକୁ ବିକଶିତ କରିବା ସହିତ ରୋଜଗାରକ୍ଷମ ହେବେ । ଜେଲ୍ରେ ଥିବା ଅନ୍ୟ ଅନ୍ତେବାସୀଙ୍କୁ ମଧ୍ୟ ଦକ୍ଷତା ଶିଖାଇ ପାରିବେ ବୋଲି ଶୁଭକାନ୍ତ ମିଶ୍ର କହିଛନ୍ତି ।