ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ହେବେ ସୁଖଜିନ୍ଦର୍‌ ରନ୍ଧାୱା ଏବଂ ବ୍ରହ୍ମ ମୋହିନ୍ଦ୍ରା

ଚଣ୍ଡୀଗଡ଼ : ସୁଖଜିନ୍ଦର୍‌ ରନ୍ଧାୱା ଏବଂ ବ୍ରହ୍ମ ମୋହିନ୍ଦ୍ରା ପଞ୍ଜାବର ନୂଆ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ‘ଏଆଇସିସି’ କୋଷାଧ୍ୟକ୍ଷ ପବନ କୁମାର ବଂଶଲ୍‌ ସୁନିଶ୍ଚିତ କରି କହିଛନ୍ତି। ଟୁଇଟ୍‌ କରି ବଂଶଲ୍‌ ସେମାନଙ୍କ ନାମ ସୁନିଶ୍ଚିତ କରିବା ସହ ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହେବାକୁ ମନୋନୀତ ହୋଇଥିବାରୁ ଦୁହିଁଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ସେ ଲେଖିଛନ୍ତି, ପଞ୍ଜାବର ମୁଖ୍ୟମନ୍ତ୍ରୀ ମନୋନୀତ ହୋଇଥିବା ଚରଣଜୀତ୍‌ ଚନ୍ନୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ବ୍ରହ୍ମ ମୋହିନ୍ଦ୍ରା ଏବଂ ସୁଖଜିନ୍ଦର୍‌ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ସୋନିଆ ଗାନ୍ଧୀ ଓ ରାହୁଲ୍‌ ଗାନ୍ଧୀଙ୍କ ନେତୃତ୍ବରେ ପଞ୍ଜାବର ସେବା କରିବା ଲାଗି ସେମାନଙ୍କ ବିଶେଷ ସଫଳତା ପାଇଁ ଶୁଭେଚ୍ଛା।

ସୂଚନାଯୋଗ୍ୟ, ଚରଣଜୀତ୍‌ଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯିବାର କିଛି ଘଣ୍ଟା ପୂର୍ବରୁ ସୁଖଜିନ୍ଦର୍‌ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରାୟ ସମସ୍ତ ଗଣମାଧ୍ୟମ ରିପୋର୍ଟ କରିଥିଲେ। କିନ୍ତୁ, ଆଜି ତାଙ୍କ ସହିତ ବ୍ରହ୍ମଙ୍କୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। ଆଜି ପୂର୍ବାହ୍ନ ୧୧ଟାରେ ପଞ୍ଜାବର ୧୬ଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଚରଣଜୀତ୍‌ ସିଂହ ଚନ୍ନୀ ରୂପନଗରସ୍ଥିତ ଗୁରୁଦ୍ବାରକୁ ଯାଇ ପ୍ରାର୍ଥନା କରିଛନ୍ତି।