ଆକାଶରୁ ଦୁଇଟି ବିମାନକୁ ଖସିବା ଦେଖି ଗ୍ରାମବାସୀ ବଖାଣିଲେ ଭୟାବହ ଅନୁଭୂତି

ନୂଆଦିଲ୍ଲୀ,୨୯/୧ : ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାର କୌଳାରସର ଲୋକମାନେ ଆକଶରୁ ଦୁଇଟି ବିମାନକୁ ନିଆଁ ପିଣ୍ଡୁଳା ପରି ଖସୁଥିବା ଦେଖି ସ୍ତବ୍ଧ ହୋଇଯାଇଥିଲେ। କାରଣ ଏହି ନିଆଁ ଲାଗିଥିବା ବିମାନ ଯଦି ଜନବସିତଙ୍କ ଉପରେ ପଡ଼ି ଥାଆନ୍ତା ତେବେ କ’ଣ ହୋଇଥାଆନ୍ତା। କିନ୍ତୁ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ହେତୁ ଅନେକ ଲୋକଙ୍କ ଜୀବନ ବଞ୍ଚିଯାଇଛି। କାରଣ ପାଇଲଟ ଦୁର୍ଘଟଣାଗ୍ରସ୍ତ ହେବାପରେ ନିଆଁ ଲାଗିଥିବା ବିମାନକୁ ଜଙ୍ଗଲ ଅଭିମୁଖେ ନେଇ ତଳକୁ ଖସାଇଥିଲେ।

ଭାରତୀୟ ବାୟୁସେନାର ଦୁଇଟି ଲଢୁଆ ବିମାନ ‘ସୁଖୋଇ-୩୦’ ଓ ‘ମିରେଜ୍‌-୨୦୦୦’ ଗତ ଶନିବାର ଦିନ ନିଜନିଜ ମଧ୍ୟ‌ରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଫଳରେ ଗୋଟିଏ ବିମାନ ରାଜସ୍ଥାନର ଭରତପୁର ଜିଲ୍ଲାସ୍ଥିତ ପିଙ୍ଗୋରା ଗ୍ରାମରେ ଖସି ପଡ଼ିଥିବା ବେଳେ ଦ୍ବିତୀୟଟି ମଧ୍ୟପ୍ରଦେଶର ମୁରୈନାର ପହାଡ଼ଗଢ଼ସ୍ଥିତ ଜଙ୍ଗଲରେ ପଡ଼ିଥିଲା। ଏହି ଦୁର୍ଘଟଣାକୁ ଦେଖିଥିବା ପ୍ର‌ତ୍ୟେକ୍ଷଦର୍ଶୀ ନିଜନିଜ ଅନୁଭୂତିକୁ ବଖାଣିଛନ୍ତି।

ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, ‘ଯେତେବେଳେ ନିଆଁ ଲାଗିଲା, ସେ‌ତେବେଳେ ବିମାନ ମୁରୈନା ଜିଲ୍ଲାର କୌଳାରସ ଦେଇ ଯାଉଥିଲା। ହଠାତ ଆକାଶକୁ ଦେଖିଲା ବେଳକୁ ନିଆଁ ପିଣ୍ଡୁଳା ଯେମିତି ଜନବସିତଙ୍କ ଆଡକୁ ମାଡ଼ି ଆସୁଛି ସେମିତି ଲାଗିଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ବିମାନ ଯଦି ଜନବସତି ଥିବା ସ୍ଥାନରେ ଖସି ପଡ଼ିଥାଆନ୍ତେ ତେବେ କେତେ ଯେ ଲୋକଙ୍କ ଜୀବନ ଚାଲି ଯାଇଥାଆନ୍ତା ତାହା ଭାବିଲା ବେ‌ଳକୁ ଲୋମମୂଳ ଟାଙ୍କୁରି ଉଠୁଛି।

କିନ୍ତୁ ଦୁଇଟି ଲଢ଼ୁଆ ବିମାନ ଚଲାଉଥିବା ଦୁଇଜଣ ପାଇଲଟ ଅନ୍ୟ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ପାଇଲଟ ନିଆଁ ‌ଲାଗିଥିବା ବିମାନକୁ ନେଇ ଜଙ୍ଗଲରେ ଖସାଇଥିଲେ।। ଦୁର୍ଘଟଣାଗ୍ରସ୍ତ ବିମାନର ଦୁଇଜଣ ପାଇଲଟଙ୍କ ମଧ୍ୟରୁ ଜଣେ ନିରାପଦରେ ବାହାରି ଆସିଥିବା ବ‌େଳେ ଆଉ ଜଣେ ପାଇଲଟ୍‌ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଦୁଇଟିଯାକ ଲଢୁଆ ବିମାନ ଗୋଆଲିଅର୍‌ସ୍ଥିତ ବାୟୁସେନା ଘାଟିରୁ ସକାଳ ୯.୧୫ରେ ଉଡ଼ାଣ ଆରମ୍ଭ କରିଥିଲା। ୫୦କିମି ବାଟ ଯିବା ପରେ ବିମାନ ଦୁଇଟିର ଏଟିସି ସହିତ ଯୋଗାଯୋଗ ତୁଟି ଯାଇଥିଲା। ପରେ ଜାଣିବାକୁ ମିଳିଲା କି ବିମାନ ଦୁଇଟି ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି।

SBI AD