ମହାକାଳପଡ଼ା,୨୧/୧୦-(କେଶବ ଚନ୍ଦ୍ର ନାଥ) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ସୁନୀତି ପଂଚାୟତ ୪ନଂ ୱାର୍ଡରେ ସରକାରଙ୍କ ବିକାଶ ଯୋଜନା ଦିଗ ହରା ହୋଇପଡିଛି । ସମ୍ପୃକ୍ତ ୱାର୍ଡର ୧୦୦ରୁ ଉର୍ଦ୍ଧ୍ୱ ପରିବାର ବର୍ଷ ବର୍ଷ ଧରି ପ୍ରଶାସନ ନିକଟରେ ଗୁହାରି କଲେବି ଗାଁକୁ ଖଣ୍ଡିଏ ସବୁଦିନିଆ ରାସ୍ତା ସଂଯୁକ୍ତ ହୋଇପାରିନି । ଏପରିକି ଗାଁର ମୁଖ୍ୟ ରାସ୍ତା ବର୍ଷା ଦିନେ କାଦୁଅ ପାଣି ଜମୁଥିବାରୁ ସାଧାରଣରେ ଯାତାୟତ କଷ୍ଟ ସାପେକ୍ଷ ହୋଇପଡୁଛି । ବିଗତ ଦିନ ମାନଙ୍କରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କ ପକ୍ଷେ ଅନେକ ସମୟରେ ପ୍ରତିକୂଳ ପାଗ ହେତୁ ପାଠ ପଢି ଯିବା ସମ୍ଭବ ହେଉନଥିବା ସ୍ଥଳେ ପ୍ରାକ ଶିକ୍ଷାର୍ଥୀଙ୍କ ଅଙ୍ଗନ ୱାଡି ଯିବା କଥା ପଚାରେ କିଏ । ୱାର୍ଡର ଗମନା ଗମନ ସମସ୍ୟା ନେଇ ପଂହାୟତ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ୱାର୍ଡ ବାସୀଙ୍କ ଅଭିଯୋଗ ପରେବି ରାସ୍ତାଟି ଯଥା ପୂର୍ବଂ ତଥା ପରଂ ଅବସ୍ଥା ଦେଇ ଗତି କରୁଛି । ଚଳିତ ବର୍ଷ କରୋନା ପାଇଁ ଅଙ୍ଗନ ୱାଡି କେନ୍ଦ୍ର, ପ୍ରାଥମିକ, ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗୁଡିକ ବନ୍ଦ ଥିବାରୁ ବର୍ଷା ଋତୁରେ କାଦୁଅ ଓ ପାଣି ପାଇଁ ଶିକ୍ଷାର୍ଥୀ ମାନେ ଖେଳ କୁଦ ଛାଡି ମନଦୁଃଖରେ କେବଳ ଘରେ ବସି ବା ହିଁ ସାର ହୋଇଛି । ଏପରିକି କାଦୁଅ ହେତୁ ସାଇକେଲ ଆରୋହୀ ସାଇକେଲ ମୁଣ୍ଡାଇ ପାଖ ରାସ୍ତାକୁ ଯିବାକୁ ପଡେ । ଆହୁରି ମଧ୍ୟ ମହିଳାମାନଙ୍କ ପକ୍ଷେ କଚ୍ଚା ରାସ୍ତାରେ ପାଣି ନେବା ସମ୍ଭବ ନହେବାରୁ ପୁରୁଷ ଲୋକେ ଭାର ପରିବର୍ତ୍ତେ ଗରା, ମାଠିଆ କାନ୍ଧରେ ବସାଇ ନଳକୂପରୁ ପିଇବା ପାଣି ନେବାକୁ ପଡୁଛି । ଅବହେଳିତ ୱାର୍ଡକୁ ଯଥା ଶୀଘ୍ର ପକ୍କା ରାସ୍ତା ସଂଯୋଗ ହେଲେ କୁନି କୁନି ଶିକ୍ଷାର୍ଥୀମାନେ ଖୁସିରେ ବିଦ୍ୟାଳୟକୁ ଯାତାୟତ କରିପାରିବେ ବୋଲି ଦାବି ହେଉଛି ।