IPL-2023 : ହାଇଦ୍ରାବାଦର ପ୍ରଥମ ବିଜୟ

ହାଇଦ୍ରାବାଦ : କ୍ରମାଗତ ଦୁଇଟି ପରାଜୟ ପରେ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ। ଅନ୍ୟପଟେ ପ୍ରଥମ ପରାଜୟ ଭୋଗିଛି ପଞ୍ଜାବ। ଉଭୟ ବିଭାଗରେ ଉନ୍ନତ ପ୍ରଦର୍ଶନ କରି ହାଇଦ୍ରାବାଦ ୮ ଓ୍ଵିକେଟ୍‌ରେ ପଞ୍ଜାବ କିଙ୍ଗ୍ସକୁ ହରାଇଛି। ହାଇଦ୍ରାବାଦ ଅଷ୍ଟମ ସ୍ଥାନକୁ ଉଠିଥିବା ବେଳେ ପଞ୍ଜାବ ଷଷ୍ଠ ସ୍ଥାନକୁ ଖସିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାଓ୍ଵନଙ୍କ ଅପରାଜିତ ୯୯ ରନ ବଳରେ ୯ ଓ୍ଵିକେଟ୍ ହରାଇ ୧୪୩ ରନ କରିଥିଲା। ଜବାବରେ ହାଇଦ୍ରାବାଦ ରାହୁଲ ତ୍ରିପାଠୀଙ୍କ ଅପରାଜିତ ୭୪ ରନ ବଳରେ ୧୭.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଅଧିନାୟକ ଆଡନ ମାରକ୍ରମ ୩୭ ରନରେ ଅପରାଜିତ ଥିଲେ। ଓପନର ହାରି ବ୍ରୁକ(୧୩) ଏବଂ ମୟଙ୍କ ଅଗ୍ରଓ୍ଵାଲ(୨୧) ପାଭିଲିୟନ ଫେରିଥିଲେ।

ଏକଦା ୧୦୦ ରନ ଛୁଇଁବାର ଖୁବ୍ କମ ସମ୍ଭାବନା ଥିବା ପଞ୍ଜାବ କିଙ୍ଗ୍ସ ଶିଖରଙ୍କ ଅପରାଜିତ ୯୯ ରନ ବଳରେ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୪୩ ରନର ସମ୍ମାଜନକ ସ୍କୋର କରି ପାରିଥିଲା। ବାକି ବ୍ୟାଟର କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଦଳ ୮୮ ରନରେ ୯ ଓ୍ଵିକେଟ୍ ହରାଇବା ପରେ ମୁସ୍କିଲ ସ୍ଥିତିରେ ଥିବା ବେଳେ ଧାଓ୍ଵନ ମୋହିତ ରାଠିଙ୍କୁ ସାଥୀ କରି ଅବିଭାଜିତ ୧୦ମ ଓ୍ଵିକେଟ୍ ପାଇଁ ୫୫ ରନ ଯୋଡିଥିଲେ। ଫଳରେ ପଞ୍ଜାବ ଏହି ସ୍କୋରରେ ପହଞ୍ଚି ପାରିଥିଲା। ସାମ କରନ ୨୨ ରନ କରିଥିଲେ। ହାଇଦ୍ରାବାଦ ପକ୍ଷରୁ ମୟଙ୍କ ମାର୍କେଣ୍ଡେୟ ୧୫ ରନ ଦେଇ ୪ଟି ଓ୍ଵିକେଟ୍ ନେଇଥିବା ବେଳେ ଉମରାନ ମଲିକ ଏବଂ ମାର୍କୋ ଜନସେନ ୨ଟି ଲେଖାଏଁ ସଫଳତା ପାଇଥିଲେ।

SBI AD