ନୂଆଦିଲ୍ଲୀ,୧୯ /୨: ‘କୋଟିଆ’ରେ ଅନୁପ୍ରବେଶ ସଂକ୍ରାନ୍ତରେ ଆନ୍ଧ୍ର ସରକାରଙ୍କ ବିରୋଧରେ ଓଡ଼ିଶା ସରକାର ଦାଖଲ କରିଥିବା ଅଦାଲତ ଅବମାନନା ମାମଲାର ଶୁଣାଣି କରି ଜବାବ ଦାଖଲ ପାଇଁ ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ। ସୂଚନାଯୋଗ୍ୟ,ପୂର୍ବରୁ ଆନ୍ଧ୍ର ପକ୍ଷରୁ ୫୦ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଥିଲା। ଆନ୍ଧ୍ର ସତ୍ୟପାଠ ଉପରେ ଜବାବ ଦାଖଲ ପାଇଁ ଓଡ଼ିଶାକୁ ସମୟ ମିଳିଥିବା ଜଣାଯାଇଛି।
ଏହି ମାମଲାର ତ୍ବରିତ ଶୁଣାଣି କରିବା ପାଇଁ ଓଡ଼ିଶା ପକ୍ଷରୁ ଏହି ମାମଲାରେ ନିୟୋଜିତ ବରିଷ୍ଠ ଆଇନଜୀବୀ ବିକାଶ ସିଂହ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାର ପତି ଜଷ୍ଟିସ୍ ଏସ୍ଏ ବୋବ୍ଡେ, ଜଷ୍ଠିସ୍ ଏ.ଏସ୍.ବୋପାନ୍ନା ଓ ଜଷ୍ଟିସ ଭି. ରମା ସୁବ୍ରମନ୍ୟନଙ୍କ ଖଣ୍ଡପୀଠରେ ନିବେଦନ କରିଥିଲେ। ଶ୍ରୀ ସିଂହ ଯୁକ୍ତି ଉପସ୍ଥାପନ କରି କହିଥିଲେ,କୋଟିଆ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସର୍ବୋଚ୍ଚ ନ୍ୟାୟ୍ୟାଳୟ ୨୦୦୬ରେ ନିର୍ଦେଶ ଦେଇଥିଲେ। ଆନ୍ଧ୍ର ସରକାର ଏହାକୁ ପାଳନ କରିନାହାନ୍ତି। ନିର୍ଦେଶକୁ ଉଲଂଘନ କରି ଆନ୍ଧ୍ର ସରକାର କୋଟିଆକୁ ନିଜର ସୀମାରେ ଦର୍ଶାଇ ପଞ୍ଚାୟତ ନିର୍ବାଚନ କରାଉଛନ୍ତି।