ନୂଆଦିଲ୍ଲୀ, ୧୩/୦୩ : ମାସିକ ଧର୍ମ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ପ୍ରଦାନ କରିବା ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ଏହି ମାମଲାକୁ ବିଚାର କରିବାକୁ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି, “ମହିଳାମାନଙ୍କୁ ଏତେ ଦୁର୍ବଳ ଭାବନ୍ତୁ ନାହିଁ ।” ଯଦି ପେଡ୍ ପିରିୟଡ଼୍ ଲିଭକୁ ବାଧ୍ୟତାମୂଳକ କରାଯାଏ, ତେବେ କେହି ସେମାନଙ୍କୁ ନିଯୁକ୍ତି ଦେବାକୁ ଇଚ୍ଛୁକ ହେବେ ନାହିଁ । ଏମିତି ହେଲେ ଆଗକୁ ମହିଳାମାନଙ୍କୁ ଚାକିରି ମିଳିବାରେ ସମସ୍ୟା ଦେଖାଦେବ । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ପର୍ଯ୍ୟବେକ୍ଷଣ କରିଥିଲେ ।, ଏପରି ଆବେଦନଗୁଡ଼ିକ ମହିଳାମାନଙ୍କୁ ଦୁର୍ବଳ ଭାବରେ ଚିତ୍ରଣ କରେ ଏବଂ ମାସିକ ଧର୍ମକୁ ଏକ ନକାରାତ୍ମକ ଭାବେ ଦର୍ଶାଇଥାଏ । ସିଜେଆଇ କହିଛନ୍ତି ଯେ, ଏହା କର୍ମକ୍ଷେତ୍ର ମଧ୍ୟରେ ମହିଳାଙ୍କ କ୍ୟାରିୟର ପ୍ରଗତି ଉପରେ କ୍ଷତିକାରକ ପ୍ରଭାବ ପକାଇପାରେ । ସରକାରଙ୍କ କଥା ଉଲ୍ଲେଖ କରି କୋର୍ଟ ପରାମର୍ଶ ଦେଇଛନ୍ତି ଯେ, କାର୍ଯ୍ୟନିର୍ବାହୀ ସମସ୍ତ ପ୍ରାସଙ୍ଗିକ ସରକାରୀ ସଂସ୍ଥା ଏବଂ ପ୍ରତିଷ୍ଠାନ ସହିତ ପରାମର୍ଶ କରିବା ପରେ ଏକ ଉପଯୁକ୍ତ ଢାଞ୍ଚା ପ୍ରସ୍ତୁତ କରିପାରିବେ । ସିଜେଆଇ ସୂର୍ଯ୍ୟକାନ୍ତ ଆବେଦନକାରୀଙ୍କୁ କହିଥିଲେ, “ମହିଳାମାନଙ୍କ ବୃତ୍ତିଗତ ଅଭିବୃଦ୍ଧି ଏବଂ ପରିପକ୍ୱତା ସମ୍ପର୍କରେ ଏହା କର୍ମକ୍ଷେତ୍ରରେ କି ପ୍ରକାରର ମାନସିକତାକୁ ପ୍ରୋତ୍ସାହିତ କରେ ତାହା ଆପଣ ଜାଣି ନାହାଁନ୍ତି । ଏହାଦ୍ବାରା ମହିଳାଙ୍କ କ୍ୟାରିଅର ଉପରେ ନକାରାତ୍ମକ ପ୍ରଭାବ ପଡିବ ।