ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବାଙ୍କ ଦେହାନ୍ତ

ଭୁବନେଶ୍ୱର, ୭/୧୨ : ଭୁବନେଶ୍ୱର ସନ୍ନିକଟ ଝିଣ୍ଟି ଶାସନରେ ଥିବା ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବା ଓରଫ ସୁରେନ୍ଦ୍ର ନାଥ ମିଶ୍ରଙ୍କ ପରଲୋକ ଘଟିଛି । ଗତକାଲି ରାତିରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସୁର ବାବାଙ୍କ ପରଲୋକ ପରେ ଆଶ୍ରମରେ ଏକ ଶୋକର ଛାୟା ଖେଳିଯାଇଛି । ସୁର ବାବାଙ୍କ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଶୋକର ମହଲ ଦେଖାଯାଇଛି ।

ସୂଚନାଯୋଗ୍ୟ, ଆଶ୍ରମ କେଳେଙ୍କାରୀ ନେଇ ସୁରବାବା ୨୦୧୫ ମସିହାରେ ଗିରଫ ହୋଇଥିଲେ । ତାଙ୍କ ନାଁରେ ଗୁରୁତର ଅଭିଯୋଗ ଆସିଥିଲା । ବାବାଙ୍କ ନାଁରେ ଯୌନ ନିର୍ଯାତନା ମାମଲା ମଧ୍ୟ ରୁଜୁ ହୋଇଥିଲା । କୋଟି କୋଟି ଟଙ୍କାର ମାଲିକ ହୋଇଥିବା ସୁର ବାବାଙ୍କ ନାଁରେ ବାଲିପାଟଣା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା । ଏହା ପରେ ସୁର ବାବା ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରେ ଦୀର୍ଘ ୨୭ ମାସ ପର୍ଯ୍ୟନ୍ତ ରହିବା ପରେ ୨୦୧୭ ଡିସେମ୍ବର ୩ରେ ଆଶ୍ରମକୁ ଫେରିଥିଲେ ।