ଅଙ୍ଗଦାନ କରିଥିବା ୩ ମହିଳାଙ୍କୁ ମ​‌ରଣୋତ୍ତର ‘ସୂରଜ ସମ୍ମାନ’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୩ /୮: ବିଶ୍ୱ ଅଙ୍ଗଦାନ ଦିବସରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗଦାନ କରିଥିବା ବ୍ୟକ୍ତି ଓ ତାଙ୍କ ପରବାରଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମରୋତ୍ତୋର ସୂରଜ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ଅଙ୍ଗଦାନ ପାଇଁ ୩ ମହିଳାଙ୍କୁ ମ​‌ରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରାଯାଇଛି। ଗଞ୍ଜାମର ପି.ପ୍ରିୟଙ୍କାରାଣୀ ପାତ୍ର, ଭୁବନେଶ୍ବରର ସୁଚିତ୍ରା ଦାସ ଓ ପୁରୀର ରାଜଲକ୍ଷ୍ମୀ ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମରଣୋତ୍ତର ସୂରଜ ସମ୍ମାନ ପ୍ରଦାନ କରିଛନ୍ତି। ପ୍ରତି ଅଙ୍ଗଦାତା ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଛି। ଅଙ୍ଗଦାନ କରି ଜୀବନ ବଞ୍ଚାଇଥିବା ବ୍ୟକ୍ତି ଓ ତାଙ୍କ ପରିବାରବର୍ଗଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨୦୧୯ ଅକ୍ଟୋବରରେ ଗଞ୍ଜାମ ଜିଲା ଅନ୍ତର୍ଗତ ଭଞ୍ଜନଗରର ‘ସୂରଜ ବେହେରା’ ଗୁଜୁରାଟର ସୁରଟରେ ଏକ ଦୁର୍ଘଟଣାର ଶିକାର ହୋଇ ମସ୍ତିଷ୍କ ମୃତ୍ୟୁ ଅବସ୍ଥାରେ ଥିଲେ । ତାଙ୍କ ପିତାମାତାଙ୍କ ସାହସିକ ନିଷ୍ପତ୍ତି ଫଳରେ ‘ସୂରଜ’ଙ୍କର ବୃକକ୍, ଲିଭର, ହାର୍ଟ ଓ ଦୁଇ ଆଖି ତାଙ୍କ ଶରୀରରୁ କଢାଯାଇ ବିଭିନ୍ନ ସହରରେ ଛଅ ଜଣ ବ୍ୟକ୍ତିଙ୍କ ଜୀବନ ବଞ୍ଚାଯାଇ ପାରିଥିଲା। ସୂରଜଙ୍କ ପରିବାରର ମାନବିକତାର ଏହି ସର୍ବୋଚ୍ଚ ନିଦର୍ଶନକୁ ସମ୍ମାନ ଜଣାଇ ୨୦୧୯ ନଭେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂରଜ ସମ୍ମାନ ପୁରସ୍କାର ଘୋଷଣା କରିଛନ୍ତି।