କର୍ଣ୍ଣାଟକରେ ବିଜେପିକୁ ଲାଗିପାରେ ଶକ୍ତ ଧକ୍କା : ଏବିପି ସି-ଭୋଟର ଓପିନିୟନ

ନୂଆଦିଲ୍ଲୀ,୨୯/୩ : ବାଜିଲା କର୍ଣ୍ଣାଟକ ବିଧାନସଭା ପାଇଁ ନିର୍ବାଚନ ବିଗୁଲ୍। ରାଜ୍ୟରେ ମେ ୧୦ରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେଉଥିବା ବେଳେ ମେ ୧୩ରେ ଫଳାଫଳ ଘୋଷଣା କରାଯିବ। ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଏବଂ ଜେଡିଏସ ମଧ୍ୟରେ ହେବ କଡା ମୁକାବିଲା। ନିର୍ବାଚନ ବିଗୁଲ ବାଜିବା ମାତ୍ରେ ପ୍ରଥମ ଓପିନିୟନ ପୋଲ୍ ସାମ୍ନାକୁ ଆସିଛି। ଏବିପି ନ୍ୟୁଜ୍-ସିଭୋଟର ଦ୍ଵାରା ହୋଇଥିବା ଓପିନିୟନ ପୋଲ୍‌ରେ କଂଗ୍ରେସ ଶାସକ ବିଜେପି ଉପରେ ଭାରି ପଡୁଥିବା ଦେଖିବାକୁ ମିଳିଛି। କଂଗ୍ରେସ ନିଜ ଦମରେ ବହୁମତ ହାସଲ କରୁଥିବା ସର୍ଭେରେ ପୂର୍ବାନୁମାନ କରାଯାଇଛି। କଂଗ୍ରେସକୁ ୧୧୫ରୁ ୧୨୭ ଆସନ ମିଳିବାର ସମ୍ଭାବନା ରହିଛି। ଅନ୍ୟପଟେ ବିଜେପିକୁ ମାତ୍ର ୬୮ରୁ ୮୦ ସିଟ୍ ଏବଂ ଜେଡିଏସକୁ ୨୩-୩୫ ସିଟ୍ ମିଳିପାରେ। ଉଲ୍ଲେଖନୀୟ ରାଜ୍ୟର ମୋଟ୍ ବିଧାସନସଭା ଆସନ ସଂଖ୍ୟା ହେଉଛି ୨୨୪ ଏବଂ ସରକାର ଗଢିବା ପାଇଁ ଦରକାର ୧୧୩ ଆସନ।

ଓପିନିୟନ ପୋଲ୍ ଅନୁଯାୟୀ, ଗ୍ରେଟର ବେଙ୍ଗାଲୁରୁରେ କଂଗ୍ରେସ ବାଜିମାତ୍ କରିପାରେ।ଏଠାରେ ମୋଟ୍ ୩୨ଟି ଆସନରୁ କଂଗ୍ରେସ ୧୫ରୁ ୧୯ , ବିଜେପିକୁ ୧୧ରୁ ୧୫ ଏବଂ ଜେଡିଏସକୁ ଗୋଟିଏରୁ ତିନୋଟି ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ପୁରୁଣା ମହୀଶୂରରେ ଜେଡିଏସ ଆଗରେ ରହୁଥିବା ଦେଖିବାକୁ ମିଳିଛି। ଏଠାରେ ଜେଡିଏସକୁ ୨୬ରୁ ୨୭, କଂଗ୍ରେସକୁ ୨୪ରୁ ୨୮, ବିଜେପିକୁ ମାତ୍ର ଗୋଟିଏରୁ ପାଞ୍ଚ ଆସନ ମିଳିପାରେ। କେନ୍ଦ୍ରୀୟ କର୍ଣ୍ଣାଟକରେ କଂଗ୍ରେସ ୧୮ରୁ ୨୨, ବିଜେପି ୧୨ ରୁ ୧୬ ଏବଂ ଜେଡିଏସ ଗୋଟିଏରୁ ଦୁଇଟି ଆସନରେ ବିଜୟ ଲାଭ କରି ପାରନ୍ତି। ମୁମ୍ବାଇ କର୍ଣ୍ଣାଟକ ଉପରେ ନଜର ପକାଇଲେ ଏଠାରେ ବିଜେପିକୁ ୨୧ରୁ ୨୫, କଂଗ୍ରେସକୁ ୨୫ରୁ ୨୯ ଏବଂ ଜେଡିଏସକୁ ଶୂନ୍ୟରୁ ଗୋଟିଏ ଆାସନ ମିଳିପାରେ। ହାଇଦ୍ରାବାଦ କର୍ଣ୍ଣାଟକ ପ୍ରାନ୍ତରେ ବିଜେପି ୮ରୁ ୧୨, କଂଗ୍ରେସ ୧୯ରୁ ୨୩ ଏବଂ ଜେଡିଏସ ଗୋଟିଏ ସିଟ୍ ଜିତିପାରେ।

ସର୍ଭେରେ ଲୋକଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ରାଜ୍ୟରେ ସବୁଠୁ ପସନ୍ଦର ମୁଖ୍ୟମନ୍ତ୍ରୀ ଭାବେ କାହାକୁ ଦେଖିବାକୁ ଚାହାନ୍ତି ? ପ୍ରଥମରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମୈୟା, ଯାହାଙ୍କୁ ୩୯ ପ୍ରତିଶତ ଭୋଟ୍ ମିଳିଛି। ୩୧ ପ୍ରତିଶତ ଭୋଟ୍ ସହ ଦ୍ଵିତୀୟରେ ଅଛନ୍ତି ବିଜେପି ନେତା ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇ। ଜେଡିଏସର କୁମାରସ୍ଵାମୀଙ୍କୁ ୨୧ ପ୍ରତିଶତ ଏବଂ କଂଗ୍ରେସର ଡିକେ ଶିବକୁମାରଙ୍କୁ ତିନି ପ୍ରତିଶତ ଲୋକ ଭେଟା୍ ଦେଇଛନ୍ତି। ଏହା ବ୍ୟତୀତ ଛଅ ପ୍ରତିଶତ ଲୋକ ଅନ୍ୟଙ୍କୁ ପସନ୍ଦ କରିଛନ୍ତି।