ଆତ୍ମହତ୍ୟା କରିଥିଲେ ସୁଶାନ୍ତ ସିଂହ ରାଜପୁତ : ଏମ୍ସ ରିପୋର୍ଟ

ନୂଆଦିଲ୍ଲୀ, ୩/୧୦ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇ ଥିଲା ନା ସେ ଆତ୍ମହତ୍ୟା କରିଥିଲେ ଏବେ ଏ ପ୍ରଶ୍ନରେ ପୂର୍ଣ୍ଣଚ୍ଛେଦ ପକାଇଛି ଏମ୍ସ ରିପୋର୍ଟ। ନୂଆଦିଲ୍ଲୀ ସ୍ଥିତ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଡାକ୍ତରଙ୍କ ଏକ ପ୍ୟାନେଲ୍ ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇ ନାହିଁ ବରଂ ଏହା ଆତ୍ମହତ୍ୟା ମାମଲା ବୋଲି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋକୁ ସୂଚନା ଦେଇଥିବା ଜଣପଡ଼ିଛି । ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି ସୁଶାନ୍ତଙ୍କୁ କେହି ହତ୍ୟା କରି ନାହାନ୍ତି। ବରଂ ଏହା ଆତ୍ମହତ୍ୟା ମାମଲା। ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ତଦନ୍ତ କରିବା ପରେ ଏମ୍ସ ଟିମ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି।

ସେମାନେ ହତ୍ୟା ମାମଲାକୁ ଏକଦମ ଖଣ୍ଡନ କରିଛନ୍ତି। ସେପ୍ଟେମ୍ବର ୨୯ରେ ଏମ୍ସ ଡାକ୍ତର ସିବିଆଇକୁ ତଦନ୍ତ ରିପୋର୍ଟ ହସ୍ତାନ୍ତର କରିଥିଲେ। ତେବେ ଏବେ ସିବିଆଇର ଆନୁଷ୍ଠାନିକ ବୟାନକୁ ଅପେକ୍ଷା କରାଯାଇଛି।

ସୂଚନାଯୋଗ୍ୟ ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ପରିବାର ସମେତ ଅନେକ ଲୋକ ସିବିଆଇ ତଦନ୍ତ ଦାବି କରିଥିଲେ। ଜୁନ୍ ୧୪ରେ ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ବାସଭବନରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇ ଥିଲା। ଏହା ପରେ ସୁଶାନ୍ତଙ୍କ ପରିବାର ଲୋକଙ୍କ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତୀଙ୍କ ଉପରେ ଆତ୍ମହତ୍ୟା କରିବାକୁ ଉସକାଇଥିବା ଅଭିଯୋଗ ଆଣି ଥିଲେ। ତେବେ ଏବେ ଡ୍ରଗ୍ସ ମାମଲାରେ ରିୟା ଜେଲରେ ଅଛନ୍ତି।