ନୂଆଦିଲ୍ଲୀ,୨ /୧୨ : ବଦଳିବ ମୋଦୀ ସରକାରଙ୍କ ଦ୍ବିତୀୟପାଳି ମନ୍ତ୍ରିମଣ୍ଡଳ ଚେହେରା । ତେବେ ଏହା ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ହେବ ନା ପରେ ହେବ ସେଥିନେଇ ଦଳର କୋର କମିଟି ବିଚାରବିମର୍ଶ ଚଳାଇଛି । ତଥାପି ଦ୍ବିତୀୟ ପାଳି ସରକାରର ଦୁଇ ବର୍ଷ ପୂର୍ତି ପୂର୍ବରୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅନେକ ନୂଆ ମୁହଁ ସାମିଲ ହେବାର ସମ୍ଭାବନା ରହିଛି। ଏନଡ଼ିଏର ସହଯୋଗୀ ଦଳ ମଧ୍ୟରୁ କେବଳ ରାମଦାସ ଅଠାୱାଲେଙ୍କ ବ୍ୟତୀତ ଅନ୍ୟ କେହି ମନ୍ତ୍ରୀ ନାହାନ୍ତି, ସେହିପରି ବିହାରରେ ନୀତିଶଙ୍କ ନେତୃତ୍ବରେ ଏନଡ଼ିଏ ସରକାର ଗଠନ ପରେ କେନ୍ଦ୍ରରେ ନୀତିଶଙ୍କ ଦଳ ଜେଡ଼ିୟୁରୁ କିଛି ମନ୍ତ୍ରୀଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି । ଆଗାମୀ ବର୍ଷ ମଧ୍ୟଭାଗରେ ପଶ୍ଚିମବଙ୍ଗ ନିର୍ବାଚନ ହେବାକୁ ଯାଉଥିବାରୁ ସେହି ରାଜ୍ୟରୁ ଆଉ ଜଣକୁ ମନ୍ତ୍ରୀ କରାଯାଇପାରେ ବୋଲି କୁହାଯାଉଛି । କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କୁ ମିଶାଇ ୭୧ ଜଣଙ୍କୁ ମନ୍ତ୍ରୀ ପଦ ଦିଆଯିବାର ପ୍ରାବଧାନ ରହିଛି, ମାତ୍ର ଏବେ ପ୍ରଧାନମନ୍ତ୍ରୀଙ୍କୁ ବାଦ ଦେଲେ ମୋଟ ୫୪ ଜଣ ମନ୍ତ୍ରୀ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଅଧିକ ମନ୍ତ୍ରୀ ପଦ ସପକ୍ଷରେ ନାହାନ୍ତି, ତଥାପି ଆହୁରି ୫ ରୁ ୬ ଜଣ ନୂଆ ମନ୍ତ୍ରୀଙ୍କୁ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ମିଳିବାର ସମ୍ଭାବନା ରହିଛି । ଏଲଜେପିରୁ ରାମବିଳାଶ ପାଶ୍ବାନଙ୍କ ପରଲୋକ ହୋଇଛି, ଅକାଳି ଦଳରୁ ହରସିମରତ ସିଂହ ବାଦଲ ଇସ୍ତଫା ଦେଇଛନ୍ତି, ଶିବସେନା ସହ ସମ୍ପର୍କ ତୁଟିବା ପରେ ସେହି ଦଳର ମନ୍ତ୍ରୀ ମଧ୍ୟ କ୍ୟାବିନେଟ ଛାଡ଼ିଛନ୍ତି ।
ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରରେ ମନ୍ତ୍ରିମଣ୍ଡଳରେ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବା ସହ କିଛି ମନ୍ତ୍ରୀଙ୍କ ବିଭାଗରେ ପରିବର୍ତନ ହୋଇପାରେ । ଏହା ସହ ଅତ୍ୟଧିକ କିଛି ମନ୍ତ୍ରୀଙ୍କ ଉପରେ ଦିଆଯାଇଥିବା ଅତିରିକ୍ତ ଦାୟିତ୍ବ ମଧ୍ୟ ଅପସାରଣ କରାଯିବାର ସମ୍ଭାବନା ରହିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିଭାଗ ପରିବର୍ତନ କରାଯାଇପାରେ ଏବଂ ବିହାରରୁ ନିର୍ବାଚିତ ହେବାକୁଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କୁ ଅର୍ଥ ବିଭାଗ ପ୍ରଦାନ କରାଯାଇପାରେ ବୋଲି ଆକଳନ ଚାଲିଛି । ନିର୍ମଳାଙ୍କୁ ଅନ୍ୟ ଏକ ଗୁରୁତ୍ବପୂଣ୍ଣ ବିଭାଗ ଦାୟିତ୍ବ ମିଳିବା ସମ୍ଭାବନା ରହିଛି ।