ଭାରତର ସାମର୍ଥ୍ୟ ଏବଂ ସମ୍ବଳକୁ ଉପଯୁକ୍ତ ମାର୍ଗରେ ପରିଚାଳନା କରିବାରେ ମୋଦୀ ସରକାର ବିଫଳ : ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୭ /୫ : ଭାରତର ବହୁ ସାମର୍ଥ୍ୟ ଏବଂ ସମ୍ବଳ ଥିବାରୁ ସରକାରୀ ବ୍ୟବସ୍ଥା ବିଫଳ ହୋଇନାହିଁ। ଏ ସବୁକୁ ଉପଯୁକ୍ତ ମାର୍ଗରେ ପରିଚାଳନା କରିବାରେ ମୋଦୀ ସରକାର ବିଫଳ ହୋଇଥିବା କଥା ଆଜି କଂଗ୍ରେସ ସଂସଦୀୟ ଦଳର ଭର୍ଚ୍ୟୁଆଲ୍‌ ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କହିଛନ୍ତି।

ମନମୋହନ ସିଂହ ଏବଂ ରାହୁଲ୍‌ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ପତ୍ର କଥାକୁ ଉଦ୍ଦେଶ୍ୟ କରି ସୋନିଆ କହିଲେ, ପ୍ରସ୍ତାବିତ ସମସ୍ତ ସହାୟକ ପରାମର୍ଶ ପ୍ରତି ସରକାର କର୍ଣ୍ଣପାତ କଲେନାହିଁ। ଏମିତି ଆଚରଣ କଲେ ସତେ ଅବା ସରକାର ସବୁ ସମସ୍ୟାର ସମାଧାନ ଜାଣନ୍ତି। ଏହା ସରକାର ଓ ଆମ୍ଭମାନଙ୍କ ମଧ୍ୟରେ ନୁହେଁ, ଏହା ହେଉଛି କରୋନା ଏବଂ ଆମ୍ଭମାନଙ୍କ ମଧ୍ୟରେ ଏକ ସଂଗ୍ରାମ। ତେଣୁ, ‘ଷ୍ଟାଣ୍ଡିଙ୍ଗ୍‌ କମିଟି’ ବୈଠକ ଡକାଇବାକୁ କଂଗ୍ରେସ୍‌ ଦାବି କରୁଛି।

ସେ ଆହୁରି ମଧ୍ୟ କହିଛନ୍ତି, ଆଉ‌ ହେଳା କରିବା ଭଳି ପରିସ୍ଥିତି ନାହିଁ। ଏ ସଙ୍କଟ ମୁକାବିଲା ଲାଗି ଦକ୍ଷ, ଶାନ୍ତ ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ବ ଆବଶ୍ୟକ। ମୋଦୀ ସରକାରଙ୍କ ସ୍ପୃହାହୀନତା ଏବଂ ଅପାରଗପଣିଆ ଭାରରେ ଦେଶ ବୁଡ଼ିବାକୁ ବସିଲାଣି। ଏଇ ଦୁଃସମୟରେ ଜନତାଙ୍କ ସେବା ନିମନ୍ତେ ଆମେ ପୁନଃଉତ୍ସର୍ଗୀକୃତ ହେବା ଉଚିତ।

ସରକାରଙ୍କ ତ୍ରୁଟିପୂର୍ଣ୍ଣ ଟିକାକରଣ ନୀତିକୁ ତୀବ୍ର ସମାଲୋଚନା କରି ସୋନିଆ କହିଲେ, ‘ମାଗଣା ଟିକା’ ପାଇଁ ୨୦୨୧ ବଜେଟ୍‌ରେ ୩୫,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରିବା ସତ୍ତ୍ବେ ତୃତୀୟ ପର୍ଯ୍ୟାୟରେ ଟିକା ଖରିଦ କରିବା ଲାଗି ମୋଦୀ ସରକାର ରାଜ୍ୟ ସରକାରଙ୍କ ଉପରେ ଭୀଷଣ ଚାପ ପକାଉଛି।