ଆଜିଠାରୁ ଟ୍ବେଣ୍ଟି୨୦ ବିଶ୍ବକପ ସୁପର-୧୨: ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍‌ ଲଢ଼େଇ

ଆବୁଧାବି,୨୩ /୧୦: କ୍ରିକେଟ ମହାକୁମ୍ଭ ଟ୍ବେଣ୍ଟି୨୦ ବିଶ୍ବକପ ସପ୍ତମ ସଂସ୍କରଣ-୨୦୨୧ର ସୁପର-୧୨ ମୁକାବିଲା​‌ ୟୁଏଇରେ ଆଜିଠାରୁ ଆରମ୍ଭ ହେବ। ଦ୍ବିତୀୟ ଥର ପାଇଁ ଆୟୋଜନ କରିବାର ଅଧିକାର ପାଇଥିବା ବିସିସିଆଇ ଦେଶରେ କରୋନା ମହାମାରୀ ସ୍ଥିତି ସୁଧୁରିନଥିବାରୁ ପ୍ରତିଯୋଗିତା ଭାରତ ବଦଳରେ ୟୁଏଇ ଓ ଓମାନରେ ଆୟୋଜନ କରୁଛି। ୧୭ରୁ ଚାଲିଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଶେଷ ହୋଇଥିବା ବେଳେ ୧୨ଟି ଦଳକୁ ନେଇ ମୁଖ୍ୟ ପ୍ରତିଯୋଗିତା ଆରମ୍ଭ ହେବ। ଆଇସିସି ଟ୍ବେଣ୍ଟି୨୦ ଟ୍ରଫି ହାସଲ କରିବା ନେଇ ୧୨ଟି ଦଳ ପ୍ରସ୍ତୁତି ଶେଷ କରିଥିବା ବେଳେ ଏବେ ଲଢେଇକୁ ଅପେକ୍ଷା ରହିଛି।

ପୂର୍ବରୁ ରହିଥିବା ୮ଟି ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଯୋଗ୍ୟତା ପର୍ଯ୍ୟାୟରୁ ୪ଟି ଦଳ ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ୧୨ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ଗ୍ରୁପ-ଏ ରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣଆଫ୍ରିକା, ୱେଷ୍ଟଇଣ୍ଡିଜ୍‌,ବାଂଲାଦେଶ ଓ ଶ୍ରୀଲଙ୍କା ସ୍ଥାନ ପାଇଛନ୍ତି।ବାଂଲାଦେଶ ଓ ଶ୍ରୀଲଙ୍କା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରୁ ମୁଖ୍ୟ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେହିପରି ଗ୍ରୁପ-ବି ରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ,ସ୍କଟଲାଣ୍ଡ ଓ ନାମିବ୍ୟା ସ୍ଥାନ ପାଇଛନ୍ତି। ସ୍କଟଲାଣ୍ଡ ଓ ନାମିବ୍ୟା ଯୋଗ୍ୟତା ପର୍ଯ୍ୟାୟ ଖେଳି ମୁଖ୍ୟ ପ୍ରତିଯୋଗିତାରେ ପହଞ୍ଚିଛନ୍ତି। ଦୁଇ ଗ୍ରୁପର ଶୀର୍ଷ ୪ଟି ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ମ୍ୟାଚ ୟୁଏଇର ଦୁବାଇ, ଆବୁଧାବି ଓ ସାରଜାରେ ଖେଳାଯିବ। ନଭେମ୍ବର ୧୦ ଓ ୧୧ରେ ସେମିଫାଇନାଲ ଓ ୧୪ରେ ଫାଇନାଲ ମ୍ୟାଚ ଖେଳାଯିବ। ପ୍ରତି ଦୁଇବର୍ଷରେ ଖେଳାଯାଉଥିବା ଉକ୍ତ ପ୍ରତିଯୋଗିତା କରୋନା ମହାମାରୀ ପାଇଁ ୫ବର୍ଷ ପରେ ଆୟୋଜିତ ହେଉଛି। ୨୦୦୭ରୁ ଆରମ୍ଭ ହୋଇଥିବା​‌ ଟ୍ବେଣ୍ଟି୨୦ ବିଶ୍ବକପର ପ୍ରଥମ ସଂସ୍କରଣରେ ଭାରତ, ୨୦୦୯ରେ ପାକିସ୍ତାନ, ୨୦୧୦ରେ ଇଂଲଣ୍ଡ, ୨୦୧୨ରେ ୱେଷ୍ଟଇଣ୍ଡିଜ୍‌, ୨୦୧୪ରେ ଶ୍ରୀଲଙ୍କା ଓ ୨୦୧୬ରେ ୱେଷ୍ଟଇଣ୍ଡିଜ୍ ବିଜେତା ହୋଇଛନ୍ତି।

 

Comments are closed.