ନୂଆଦିଲ୍ଲୀ, ୧୧/୦୪ : ଦୀର୍ଘ ୧୬ ବର୍ଷ ପରେ ଭାରତକୁ ମିଳିଛି ସଫଳତା । ମୁମ୍ବାଇ ୨୬/୧୧ ର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଭାରତ ଆଣିବାର ଉଦ୍ୟମ ସଫଳ ହୋଇଛି । ଏନଆଇଏର ୩ ଜଣ ବରିଷ୍ଠ ଅଧିକାରୀ ଏବଂ ଗୁଇନ୍ଦା ବିଭାଗର ୩ ଜଣ ଅଧିକାରୀଙ୍କ ସହ ରାଣା ଭାରତ ଆସିଛି । ଅନେକ କସରତ ପରେ ଆତଙ୍କୀକୁ ଆମେରିକାରୁ ଘୋଷାଡ଼ି ଆଣିବାରେ ସଫଳ ହୋଇଛି ଭାରତ ଏବଂ ଏହା ପଛରେ ରହିଛି ଜଣେ ମହିଳା ଜଜ୍ ଙ୍କ ହାତ । ନାଁ ତାଙ୍କର ଏଲେନା କଗନ୍ । ଚଳିତବର୍ଷ ଫେବୃଆରୀ ମାସ ୨୭ ତାରିଖରେ ତହବୁର ରାଣା ଆମେରିକାର ସୁପ୍ରିମକୋର୍ଟ ଜଜ୍ ଏଲେନା କଗନଙ୍କୁ ପ୍ରତ୍ୟର୍ପଣର ଯାଚିକା ଦେଇଥିଲେ । ଯାହାକୁ ଏଲେନା ମାର୍ଚ୍ଚ ୬ ତାରିଖରେ ଖାରଜ କରିଥିଲେ । ଆଉ ତା’ପରେ ଖୋଲିଥିଲା ଆତଙ୍କୀକୁ ଭାରତ ଆଣିବାର ବାଟ । ୬୪ ବର୍ଷୀୟ ଏଲେନା ଆମେରିକାର ସୁପ୍ରିମକୋର୍ଟରେ ଜଜ୍ ଅଛନ୍ତି । ୨୦୧୦ ରେ ତତକାଳୀନ ରାଷ୍ଟ୍ରପତି ବାରାକ୍ ଓବାମା ତାଙ୍କୁ ନିଯୁକ୍ତ କରିଥିଲେ । ଆମେରିକା ସୁପ୍ରିମକୋର୍ଟରେ ପୂର୍ବରୁ ୩ ଜଣ ମହିଳା ଜଜ୍ କାମ କରିଥିବା ବେଳେ ଏଲେନା ଚତୁର୍ଥ ନମ୍ବରରେ ସେବା ଯୋଗାଉଛନ୍ତି । ସେ ପ୍ରଥମ ସାଲିସିଟର୍ ଜେନେରାଲ୍ ହେବାର ସୁଯୋଗ ମଧ୍ୟ ହାସଲ କରିଛନ୍ତି । ୨୦୦୯ ରେ ସେ ୟୁଏସର ସାଲିସିଟର୍ ଜେନେରାଲ୍ ହୋଇଥିଲେ । ଜଜ୍ ଜନ୍ ପଲ୍ ଷ୍ଟିବେନ୍ସଙ୍କ ଅବସର ପରେ ଏଲେନାଙ୍କୁ ତତକାଳୀନ ରାଷ୍ଟ୍ରପତି ବାରାକ୍ ଓବାମା ଦାୟିତ୍ବ ଦେଇଥିଲେ । ଆମେରିକା ସିନେଟ୍ ତାଙ୍କ ନିଯୁକ୍ତି ୬୩-୩୭ ବହୁମତରେ କରିଥିଲା । ଏଲେନା ଯେତେବେଳେ ଆତଙ୍କୀ ରାଣାର ଯାଚିକା ଖାରଜ କରିଥିଲେ ସେତେବେଳେ ଆମେରିକା ଚିଫ୍ ଜଷ୍ଟିସ୍ ଜନ୍ ରବର୍ଟସଙ୍କ ନିକଟରେ କାକୁତି ମିନତୀ କରିଥିଲା ରାଣା । କିନ୍ତୁ ଏହି ଯାଚିକାକୁ ଆମେରିକା ସୁପ୍ରିମକୋର୍ଟର ସବୁ ଜଜ୍ ରେଡ୍ ସିଗନାଲ୍ ଦେଖାଇଥିଲେ । ନିଜ ଦଲିଲରେ ରାଣା ଯେଉଁ କଥା ଉପରେ ଅଧିକ ପ୍ରାଧାନ୍ୟ ଦେଇଥିଲା ସେଥିରେ ଲେଖାଥିଲା ଯେ ମୁସଲମାନ, ପାକିସ୍ତାନୀ ଏବଂ ଇସଲାମାବାଦ ଆର୍ମିର ଅଂଶ ହୋଇଥିବା କାରଣରୁ ଭାରତରେ ତାକୁ ଅଧିକ ଟର୍ଚ୍ଚର ସହିବାକୁ ପଡ଼ିପାରେ । ଏହାସହ ନିଜ ରୋଗିଣା ଶରୀର କଥା କହି କୁମ୍ଭୀର କାନ୍ଦଣା କାନ୍ଦିଥିଲା ରାଣା କିନ୍ତୁ ଅଦାଲତ ଆଗରେ ସବୁ ଫେଲ୍ ମାରିଲା । ଆଉ ଆତଙ୍କୀକୁ ଭାରତ ଆଣିବାର ଫିଟିଲା ବାଟ ।