ନୂଆଦିଲ୍ଲୀ ,୨୭/୮ : ଆଫଗାନିସ୍ତାନରେ ତାଲିବାନ କବଜା ପରେ ଅନେକ ପ୍ରତିରକ୍ଷା ବିଶ୍ଳେଷକ ଓ ଭୁରାଜନୈତିକ ବିଶେଷଜ୍ଞ କାଶ୍ମୀରରେ ଏହାର ପ୍ରଭାବକୁ ନେଇ ନିଜ ମତାମତ ରଖିଛନ୍ତି। ଇତି ମଧ୍ୟରେ କାଶ୍ମୀର ଭିତ୍ତିକ ଆତଙ୍କବାଦୀ ସଂଗଠନ ମୁଜାହିଦ୍ଦିନ-ଏ-ଗଜବତ-ଉଲ-ହିନ୍ଦ ଏକ ଭିଡିଓରେ ଦାବି କରିଛି ଯେ ସେ ତାଲିବାନ ପ୍ରତି ନିଷ୍ଠା ଭାବ ରଖିଛି। ମୁଜାହିଦ୍ଦିନ-ଏ-ଗଜବତ-ଉଲ-ହିନ୍ଦ ନିକଟରେ କାଶ୍ମୀରରେ ଗଢ଼ିଥିବା ଏକ ନୂଆ ଆତଙ୍କୀ ଗୋଷ୍ଠୀ।
ତେବେ ତାଲିବାନ ମୁଜାହିଦ୍ଦିନ-ଏ-ଗଜବତ-ଉଲ-ହିନ୍ଦ ସହ ସମ୍ପର୍କ ଓ ସହଯୋଗକୁ ନେଇ ଅସ୍ବୀକାର କରିଛି। ଋଷ ନ୍ୟୁଜ ଏଜେନ୍ସି ସ୍ପୁଟନିକର ସାମ୍ବାଦିକ ଧୈର୍ଯ୍ୟ ମାହେଶ୍ୱରୀ ତାଲିବାନ ପ୍ରବକ୍ତା ସୁହେଲ ଶାହୀନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ତାଲିବାନ ମୁଜାହିଦ୍ଦିନ-ଏ-ଗଜବତ-ଉଲ-ହିନ୍ଦ ଭଳି କୌଣସି ସଂଗଠନକୁ ସମର୍ଥନ କରୁନାହିଁ। ସୁହେଲ କହିଛନ୍ତି ଯେ,’ଆମେ ଆଫଗାନିସ୍ତାନର ପୁନଃନିର୍ମାଣ ଉପରେ ଧ୍ୟାନ କେନ୍ଦ୍ରିତ କରୁଛୁ ଓ ଆମର କୌଣସି ବିଦେଶୀ ଏଜେଣ୍ଡା ନାହିଁ।
ନିକଟରେ ତାଲିବାନ ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ ଭାରତ ଓ ପାକିସ୍ତାନ ମଧ୍ୟରେ କାଶ୍ମୀର ବିବାଦକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, ଭାରତକୁ କାଶ୍ମୀର ଘାଟି ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ଆପଣେଇବା ଉଚିତ।