ଆମେରିକା ସୈନିକମାନେ ନଷ୍ଟ କରିଯାଇଛନ୍ତି ଆମ ଜାତୀୟ ସମ୍ପତ୍ତି : ତାଲିବାନ

କାବୁଲ,୨/୯ : ଆଫଗାନିସ୍ତାନରୁ ଆମେରିକୀୟ ସୈନିକମାନେ ଫେରିବା ବେଳେ କାବୁଲସ୍ଥିତ ହମ୍ମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଉପକରଣକୁ ଜାଣିଶୁଣି ନଷ୍ଟ କରିଦେଇଥିବାର ତାଲିବାନ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଲିବାନଙ୍କ ଜନୈକ ପ୍ରମୁଖ ସଦସ୍ୟ ଅନସ ହକ୍କାନୀ ଆମେରିକୀୟ ସୈନିକଙ୍କ ଶେଷ ଦଳ କାବୁଲ ଛାଡିବାର ଦିନକ ପରେ ବିମାନ ବନ୍ଦର ପରିଦର୍ଶନରେ ଯାଇଥିଲେ। ସେଠାକାର ଦୃଶ୍ୟ ଦେଖି ସେ ହତବାକ ହୋଇପଡିଥିବା ଗଣମାଧ୍ୟମକୁ କହିଛନ୍ତି।

ଏରିୟାନା ନ୍ୟୁଜକୁ ହକ୍କାନୀ ବିମାନ ବନ୍ଦର ପରିସରରେ ଥିବା ହେଲିକପ୍ଟର, ସୈନ୍ୟ ବାହନ ସମେତ ବିମାନ ବନ୍ଦରର ବିଭିନ୍ନ ସୁବିଧା ଓ ଉପକରଣ ନଷ୍ଟ କରିଦେଇ ଯାଇଥିବା କହିଛନ୍ତି। ସେମାନେ ବର୍ଷବର୍ଷ ଧରି ଆମକୁ ବିଧ୍ୱଂଶକ ବୋଲି କହୁଥିଲେ। ହେଲେ ସେମାନେ ଯାହା କରି ଯାଇଛନ୍ତି ଏହାକୁ କଣ କୁହାଯିବ ବୋଲି ହକ୍କାନୀ ପ୍ରଶ୍ନ କରିଛନ୍ତି। ନିଶ୍ଚିତ ଭାବେ ଏହା କୌଣସି ସଭ୍ୟ ରାଷ୍ଟ୍ରଙ୍କ କାମ ହୋଇ ନ ପାରେ ବୋଲି କହିଛନ୍ତି ହକ୍କାନୀ।

ଆମେରିକୀୟ ସୈନିକଙ୍କ ଶେଷ ଦଳ ମଙ୍ଗଳବାର ସକାଳେ କାବୁଲ ବିମାନ ବନ୍ଦରରୁ ଉଡାଣ କରିଥିଲେ। ଏହା ସହ ଦେଶରେ ଦୀର୍ଘ ୨୦ ବର୍ଷ କାଳ ଧରି ଥିବା ଆମେରିକୀୟ ଉପସ୍ଥିତିର ଅନ୍ତ ହୋଇଥିଲା। ତେବେ ଏହି ଶେଷ ସୈନ୍ୟ ଦଳ କାବୁଲ ଛାଡିବା ପୂର୍ବରୁ ବିମାନ ବନ୍ଦରରେ ଛିଡା ହୋଇଥିବା ଶହଶହ ସୈନ୍ୟ ବାହାନ, ସୈନ୍ୟ ଉପକରଣ ସମେତ, ପ୍ରତିରକ୍ଷା ଉପକରଣ, ବିମାନ, ହେଲିକପ୍ଟର ଓ ବିମାନ ବନ୍ଦରର ଉପକରଣ ନଷ୍ଟ କରିଦେଇଯାଇଛନ୍ତି। ଏଥିରେ ବିମାନ ବନ୍ଦରକୁ ପୁଣି ସଚଳ କରିବା ଏବେ ତାଲିବାନଙ୍କ ଲାଗି କଷ୍ଟକର ହୋଇପଡିବ ବୋଲି ହକ୍କାନୀ କହିଛନ୍ତି।

ତେବେ ବିମାନ ବନ୍ଦରକୁ ଯେ କୌଣସି ପ୍ରକାର ଚାଲୁ କରିବା ଓ ଅନ୍ତର୍ଜାତୀୟ ଗନ୍ତବ୍ୟ ପୁଣି ସୁଗମ କରିବା ଲାଗି ଉଦ୍ୟମ କରାଯିବ ବୋଲି ଜନୈକ ତାଲିବାନ ସଦସ୍ୟ କହିଛନ୍ତି। ଆମେ ବିମାନ ବନ୍ଦରକୁ ଉପଯୋଗ ସଞ୍ଚାଳନ ପାଇଁ ପୁଣି ପ୍ରସ୍ତୁତ କରିବାକୁ ଉଦ୍ୟମ କରୁଛୁ, ଏମିରେଟର ସବୁ ନେତା ମଧ୍ୟ ଏବେ ଏଇଆ ଚାହାନ୍ତି ବୋଲି ସେ କହିଛନ୍ତି। ତେବେ କେବଳ ଆମେରିକୀୟ ନୁହନ୍ତି, ଆଫଗାନିସ୍ତାନ ଉପରେ ଅତୀତରେ ହୋଇଥିବା ପ୍ରତ୍ୟେକ ଆକ୍ରମଣରେ ଆକ୍ରମଣକାରୀ ସବୁବେଳେ ପରାସ୍ତ ହୋଇଛନ୍ତି। ସେମାନେ ଦୀର୍ଘ ସମୟ ଆଫଗାନିସ୍ତାନ ଉପରେ ସେମାନଙ୍କ ନିୟନ୍ତ୍ରଣ ରଖିପାରି ନଥିବା ଇତିହାସ ସାକ୍ଷୀ ବୋଲି କହିଛନ୍ତି ହକ୍କାନୀ।