ଶିକ୍ଷକ ସଙ୍ଗଠନ ଆନ୍ଦୋଳନ ପାଇଁ ୧୬‌ରେ କମ୍ପିବ ଗାନ୍ଧୀମାର୍ଗ

ଭୁବନେଶ୍ବର, ୦୪/୦୮ : ଆସନ୍ତା ୧୬ ତାରିଖରେ ରାଜଧାନୀର ଗାନ୍ଧୀମାର୍ଗ କମ୍ପିବ। ଦାବି ହାସଲ ପାଇଁ ଆନ୍ଦୋଳନ କରିବେ ବହୁ ଶିକ୍ଷକ ସଂଗଠନ। ଅଗଷ୍ଟ ୧୬ରେ ୪୮୮ବର୍ଗ ସମନ୍ୱୟ ସମିତି ପକ୍ଷରୁ ଆନ୍ଦୋଳନ କରାଯିବ। ଶିକ୍ଷକ-ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ, ପଦୋନ୍ନତି ସହିତ ଚାକିରି ସର୍ଭାବଳୀ ଭଳି ଦାବି ପୂରଣ ଦିଗରେ ସରକାରଙ୍କ ନିରବତା ପ୍ରତିବାଦରେ ଏହି ଆନ୍ଦୋଳନ ହେବ। ସେହିପରି ୨୦୦୮ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରିବା ଦାବିରେ ୧୬ ତାରିଖରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ବରରେ ବିଶାଳ ସମାବେଶ ହେବାର କାର୍ଯ୍ୟକ୍ରମ ରହିଛି। ଏହାବାଦ୍ ଆହୁରି କିଛି ଶିକ୍ଷକ ସଂଗଠନ ୧୬ ତାରିଖରେ ଭୁବନେଶ୍ବର ଗାନ୍ଧୀମାର୍ଗରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ବୈଠକ ସୋମବାର ବସିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ଇସ୍ପାତ ଏବଂ ଖଣି ବିଭାଗର ସମ୍ମିଳନୀ କକ୍ଷରେ ଏହି ବୈଠକ ବସିବ ବୋଲି ଜଣାପଡ଼ିଛି। ବୈଠକରେ ବିଭିନ୍ନ ଶିକ୍ଷକ ସଂଗଠନର ଦାବିଗୁଡ଼ିକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।