ମଣିଷ ସମାଜରେ ଗୁରୁ ମାନଙ୍କର ଭୂମିକା ବିଶ୍ବରେ ସମସ୍ତେ ସ୍ୱୀକାର କରନ୍ତି I ମୋ ମତରେ ଯଦି ସମାଜରେ ଗୁରୁ ନଥାନ୍ତେ ହୁଏତ ମାନବ ସଭ୍ୟତା ଏପର୍ଯ୍ୟନ୍ତ ପହଂଚି ପାରିନଥାନ୍ତା I ପିଲାମାନଙ୍କ ଭିତରେ ନୀତି, ଆଦର୍ଶ , ସାମାଜିକ ମୂଲ୍ୟ ଆଦି ଭାରି ଗୁରୁମାନେ ମଣିଷ ଗଢିଥାନ୍ତି I ସେଥିପାଇଁ କେବଳ ଭାରତୀୟ ସଭ୍ୟତାରେ ନୁହେଁ ପୃଥିବୀର ବିଭିନ୍ନ ସଭ୍ୟତାରେ ଗୁରୁ ମାନଙ୍କୁ ଉଚ୍ଚ ଆସନ ଦିଆଯାଇଛି I
ଏହି ପବିତ୍ର ଗୁରୁ ଦିବସ ଯାହାଙ୍କ ଜନ୍ମଦିନରେ ପାଳନ କରାଯାଉଛି, ସେ ବିଂଶ ଶତାବ୍ଦୀରେ ଜଣେ ମହାନ ଗୁରୁ ଥିଲେ I ଭାରତ ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ଵିତୀୟ ରାଷ୍ଟ୍ରପତି ଭାରତରତ୍ନ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନ ଆନ୍ଧ୍ର ପ୍ରଦେଶରେ ଜନ୍ମ ହୋଇଥିଲେ, କିନ୍ତୁ ନିଜ ବୌଦ୍ଧିକତା, ବାଗ୍ମିତା ଏବଂ ଛାତ୍ରାବତ୍ସଳତା ପାଇଁ ସାରା ବିଶ୍ୱରେ ଜଣେ ଆଦର୍ଶ ଶିକ୍ଷକ ଓ ଦାର୍ଶନିକ ଭାବରେ ସୁନାମ ଅର୍ଜନ କରିପାରିଥିଲେ I ଭାରତୀୟ ଚିନ୍ତାଧାରାକୁ ପାଶ୍ଚାତ୍ୟ ଭାଷାରେ ଅତି ସୁନ୍ଦର ଭାବରେ ବ୍ୟାଖ୍ୟା କରିବା ଦକ୍ଷତା ପାଇଁ ଆମେରିକୀୟ ଶିକ୍ଷାବିତ ପଲ୍ ସ୍କିଲିପ୍ ରାଧାକ୍ରିଷ୍ଣନ୍ ଙ୍କୁ ‘ପୂର୍ବ ଏବଂ ପାଶ୍ଚାତ୍ୟ ମଧ୍ୟରେ ଜୀବନ୍ତ ସେତୁ’ ବୋଲି କହିଥିଲେ। ପ୍ରସିଦ୍ଧ ଆନ୍ଧ୍ର ବିଶ୍ବବିଦ୍ୟାଳୟ ଓ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟ କରିଥିଲେ ।
ରୁଷିଆରେ ଭାରତର ରାଷ୍ଟ୍ରଦୂତ ଭାବରେ ସେ ଭାରତ ରୁଷ ସମ୍ପର୍କର ମୂଳଦୁଆ ପକାଇଥିଲେ । ନୋବେଲ ପୁରସ୍କାର ନିମନ୍ତେ ତାଙ୍କ ନାମ ବହୁବାର ତାଙ୍କ ନାମ ମଧ୍ୟ ମନୋନୀତ ହୋଇଥିଲା I ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କର ବହୁ ପରିଚୟ ଥିଲେ ମଧ୍ୟ, ସେ ସବୁ ବେଳେ ନିଜକୁ ଜଣେ ଶିକ୍ଷକ ଭାବରେ ପରିଚୟ ଦେଉଥିଲେ ଏବଂ ନିଜ ଜନ୍ମ ଦିନ ବଦଳରେ ସେପ୍ଟେମ୍ୱର 5 କୁ ଗୁରୁ ଦିବସ ଭାବରେ ପାଳନ କରିବାକୁ ସେ ତାଙ୍କ ଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ । ଜୀବନରେ ପ୍ରତିଟି ପାହାଚରେ ଗୁରୁମାନେ ଆମକୁ ରାସ୍ତା ଦେଖାଇଥାନ୍ତି, ଅଜ୍ଞାନତାର ଅନ୍ଧକାରରୁ ଜ୍ଞାନର ଆଲୋକ ଆଡକୁ ଆମକୁ ବାଟ କଢ଼ାଇନେଇଥାନ୍ତି I
ଆମ ପିତାମାତା ପରେ ଯଦି ଆମର କେହି ପ୍ରକୃତ ଶୁଭକାଂକ୍ଷୀ ଥାନ୍ତି, ସେମାନେ ହେଉଛନ୍ତି ଆମ ଗୁରୁ I ଯେତେବେଳ ସମଗ୍ର ବିଶ୍ବ କୋଭିଡ 19 ମହାମାରୀ ସଂଗେ ଯୁଦ୍ଧ କରୁଛି , ଆମ ଗୁରୁ ମାନେ ସବୁ ବେଳେ ଆମ ସାଙ୍ଗରେ ଅଛନ୍ତି I ଏହି ସମୟରେ କିଭଳି ଆମ ମାନଙ୍କର ଶିକ୍ଷା ବାଧାପ୍ରାପ୍ତ ନହୁଏ ସେଥିପାଇଁ ସେମାନେ ଯତ୍ନବାନ I ମୋବାଇଲ ଦ୍ୱାରା ହେଉ, ବା ଫୋନ ମାଧ୍ୟମରେ ହେଉ ବା ଅନଲାଇନ କ୍ଲାସ ମାଧ୍ୟମରେ ସେମାନେ ଆମ ମାନଙ୍କୁ ଶିକ୍ଷାଦାନ କରିଚାଲିଛନ୍ତି I କେବଳ ଶିକ୍ଷା ନୁହେଁ, ଆମେ କିପରି ନିଜର ଯତ୍ନ ନେବା, ଏହି ମହାମାରୀରୁ ନିଜକୁ ବଞ୍ଚିପାରିବା, ସେ ବିଷୟରେ ମଧ୍ୟ ସେମାନେ ଆମ ମାନଙ୍କୁ ପରାମର୍ଶ ଦେଇ ଆସୁଛନ୍ତି I ଆମ ମାନଙ୍କୁ ଠିକ ରେ ପଢ଼ାଇବା ପାଇଁ ସେମାନେ ମଧ୍ୟ ଅନଲାଇନ କ୍ଲାସ ଭଳି ବିଭିନ୍ନ ନୂତନ କୌଶଳ ଶିଖିବାର କଷ୍ଟ କରୁଛନ୍ତି I ସେମାନଙ୍କର ମଣିଷ ଗଢିବାର ଏହି ନିଶା ପାଇଁ ମୁଁ ବିଶ୍ବର ସମସ୍ତ ଗୁରୁମାନଙ୍କ ନିକଟରେ ନତମସ୍ତକ I ସେମାନେ ଆମ ମାନଙ୍କ ପାଇଁ ଚଳନ୍ତି ଭଗବାନ I ଯଦି ଆମେ ସମସ୍ତେ ଜଣେ ଜଣେ ଭଲ ମଣିଷ ହୋଇପାରିବ, ତେବେ ତାହା ହିଁ ହେବ ସେମାଙ୍କର ଶ୍ରେଷ୍ଠ ଗୁରୁଦକ୍ଷିଣା I ଶେଷରେ ଏତିକି କହିବି …. ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର… ଗୁରୁ ସାକ୍ଷାତ୍ ପରଂବ୍ରହ୍ମ.. ତସ୍ମୈ ଶ୍ରୀଗୁରବେ ନମଃ
( ସାଇ ଏକାଡେମୀ ଦ୍ୱାରା ପ୍ରୋତ୍ସାହିତ )