ଭୁବନେଶ୍ବର,୨ /୪ : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଥିବାବେଳେ ଗୁରୁବାର ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ତଥାପି ୧୫ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଆସନ୍ତା କାଲିଠାରୁ ତିନିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଅନୁଭୂତ ହେବାକୁ ଥିବାରୁ ଏହା ପ୍ରଭାବରେ ତାତିରୁ ଆଶ୍ବସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତାକାଲିଠାରୁ ଦିନ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଶୁକ୍ରବାର ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ, ପୁରୀ, କନ୍ଧମାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ବର ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ହେବ। ବଜ୍ରପାତ ଏବଂ ବର୍ଷାକୁ ଲକ୍ଷ୍ୟକରି ପାଣିପାଗ ବିଭାଗ ଗଜପତି, ଗଞ୍ଜାମ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଜିଲାରେ ଘଣ୍ଟାପ୍ରତି ପବନର ବେଗ ୪୦ରୁ ୫୦କିମି ରହିବ। କାଳବୈଶାଖୀ ପାଇଁ ସତର୍କ ରହିବାକୁ ଏସ୍ଆରସି ଉପରୋକ୍ତ ଜିଲାପାଳଙ୍କୁ ପରାମର୍ଶ ଦେଇଛନ୍ତି।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି, ଆସନ୍ତାକାଲିଠାରୁ ଉପକୂଳକୁ ପଶ୍ଚିମା ପବନ ଆସିବ ନାହିଁ। ଉତ୍ତର ଓଡ଼ିଶାକୁ ଉତ୍ତର ପ୍ରଦେଶ, ବିହାର, ଝାଡଖଣ୍ଡ ଦେଇ ଉତ୍ତରା ପବନ ଆସିବାକୁ ଥିବା ବେଳେ ଦକ୍ଷିଣ ଓ କେନ୍ଦ୍ରୀୟ ଉପକୂଳକୁ ସାମୁଦ୍ରିକ ପବନ ବହିବ। ଯାହାଫଳରେ କେନ୍ଦ୍ରୀୟ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ। ୬ ତାରିଖରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ଗରମ ବଢ଼ିବ। ୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ତାପମାତ୍ରା ୩୭ ଡିଗ୍ରୀ ମଧ୍ୟରେ ରହିବ। ରାଜଧାନୀରେ ୩ ଓ ୪ ତାରିଖରେ କୁଆପଥର ବର୍ଷାର ସମ୍ଭାବନା ରହିଛି।