ଧଉଳି,୧୧ /୧୧: ଭୁବନେଶ୍ବର ଧଉଳି ଥାନା ଅଧୀନ ନୂଆଗାଁ ବଜାରରେ ଆଜି ପୂର୍ବାହ୍ନରେ ତହସିଲ ପ୍ରଶାସନ ପକ୍ଷରୁ ଦୁର୍ଗାପୂଜା ମଣ୍ଡପ ଉଚ୍ଛେଦକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲ । ବଜାର କମିଟି ପକ୍ଷରୁ ଦୀର୍ଘ ୨୦ ବର୍ଷ ଧରି ଉକ୍ତ ସ୍ଥାନରେ ଦୁର୍ଗାପୂଜା ଚାଲିଥିଲା । ଦୀପାବଳୀ ଅବସରରେ ବଜାର କମିଟି ପକ୍ଷରୁ ଏନେଇ ପୂର୍ବ ପ୍ରସ୍ତୁତି ଚାଲିଥିଲା । ହେଲେ ତା’ ପୂର୍ବରୁ ଏହାକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା । ଭୁବନେଶ୍ବର ତହସିଲଦାର ପ୍ରଦୀପ କୁମାର ସାହୁ , ଉପଜିଲ୍ଲାପାଳ ଦେବବ୍ରତ ସାହୁ ଅତିରିକ୍ତ ତହସିଲଦାର ସୁଜାତା ମହାରଣା ପ୍ରମୁଖ ପୁଲିସ ଫୋର୍ସ ନେଇ ପହଞ୍ଚି ଥିଲେ । ଏହା ଜାଣିବା ପରେ ବ୍ୟବସାୟୀ ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।
କାଳୀପୂଜା ଲାଗି ପ୍ରସ୍ତୁତି ଚାଲିଥିବା ଉକ୍ତ ମଣ୍ଡପ ସମ୍ମୁଖରେ ସେମାନେ ବସି ପ୍ରତିବାଦ କରିଥିଲେ । କୌଣସି ବି ପରିସ୍ଥିତିରେ ସେମାନେ ପୂଜାମଣ୍ଡପ ଭାଙ୍ଗିବାକୁ ଦେବେ ନାହିଁ କହି ଦୃଢ଼ ପ୍ରତିବାଦ କରିଥିଲେ । ପୂର୍ବରୁ ବ୍ୟବସାୟୀ କମିଟି ସହ କୌଣସି ଆଲୋଚନା ନକରି ହଠାତ ପୂଜାମଣ୍ଡପ ଭଙ୍ଗାଯିବା ନିଷ୍ପତ୍ତି ସଂପୂର୍ଣ୍ଣ ବେଆଇନ ବୋଲି କହି ବିରୋଧ କରିଥିଲେ । ଦୀର୍ଘ ସମୟ ଧରି ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବ୍ୟବସାୟୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ହେଲେ ପୂଜାକମିଟି ଉକ୍ତ ମଣ୍ଡପ ସ୍ଥାନକୁ ଲାଗି ଥିବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସୁବିଧା ଦୃଷ୍ଟିରୁ ମଣ୍ଡପ ଉଚ୍ଛେଦ କରିବା ଷଡ଼ଯନ୍ତ୍ର କରିଥିବା ଅଭିଯୋଗ କରିଥିଲେ । ଏନେଇ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ପୁଲିସ ଫୋର୍ସ ଉଚ୍ଛେଦ ପ୍ରକ୍ରିୟାକୁ ସଫଳ କରିବା ପାଇଁ ବଳ ପ୍ରୟୋଗ କରିବାକୁ ଉଦ୍ୟମ କରିଥିଲେ । ଶେଷରେ ନିରାଶ ହୋଇ ଏକତ୍ରିତ ହୋଇ ପାଟିତୁଣ୍ଡ କରୁଥିବା ପୂଜାକମିଟି ସଦସ୍ୟ ପଳାଇଯାଇଥିଲେ ।