ପୁରୀ,୮/୧ : ଠାକୁର ଶ୍ରୀଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ଉତ୍କଳ ଆଗମନକୁ ଶହେ ବର୍ଷ ପୂର୍ତ୍ତି ଉତ୍ସବ ପୁରୀ ତାଳବଣିଆ ସ୍ପୋର୍ଟ କମ୍ଲେକ୍ସରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଯୋଗଦେଇଥିଲେ ।
ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଆଜକୁ ୧୦୧ ବର୍ଷ ତଳେ ଅର୍ଥାତ ୧୯୨୩ ମସିହା ଜାନୁଆରୀ ୨ ତାରିଖରେ ପୁରୀ ମାଟିରେ ପଦାର୍ପଣ କରିଥିଲେ। ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ ଆମନ୍ତ୍ରଣ ଏବଂ ଅନୁରୋଧ କ୍ରମେ ଠାକୁର ପୁରୀରେ ମାସାଧିକ କାଳ ରହି ତାଙ୍କର ଦିବ୍ୟ ଲୀଳାରେ ସଭିଙ୍କୁ ଆକର୍ଷିତ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ସେହିପରି ମୁଖ୍ୟବକ୍ତା ଜଷ୍ଟିସ୍ ମିଶ୍ର କହିଥିଲେ, କର୍ମ କରିବା ଆମର ଅଧିକାର। ଭାଗ୍ୟ ଓ ଫଳ ପ୍ରଭୁଙ୍କୁ ସମର୍ପଣ କରିବା ଉଚିତ। ଠାକୁରଙ୍କ ଉତ୍କଳ ଆଗମନର ଶହେ ବର୍ଷ ପୂର୍ତ୍ତି ସମସ୍ତଙ୍କୁ ସତକର୍ମ ଓ ନିଷ୍ଠାବାନ ହେବାକୁ ପ୍ରେରଣା ଦେବ ବୋଲି ସେ କହିଛନ୍ତି।
ଅନ୍ୟତମ ଅତିଥିଭାବେ ଯୋଗଦେଇ ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ପରମ ପ୍ରେମମୟ ଠାକୁର ନିଜ କାର୍ଯ୍ୟ କଳାପ, ଜୀବନୀ ଓ ଆଦର୍ଶର ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ମାନବ ଜାତିକୁ ସଂସ୍କାର ଓ ସୁସ୍ଥ ସମାଜ ପାଇଁ ମାର୍ଗଦର୍ଶନ କରାଇ ଚାଲିଥିବ।