ନୂଆଦିଲ୍ଲୀ,୩/୪: ଦେଶର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମାରାଥନ ବୈଠକ କରିଛନ୍ତି। ଏହି ସମୟରେ କିଛି ଅଧିକାରୀ ଅନେକ ରାଜ୍ୟ ପକ୍ଷରୁ ଘୋଷିତ ଲୋଭନୀୟ ଯୋଜନା ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି। ବୈଠକ ସମୟରେ ଅଧିକାରୀ ଦାବି କରିଛନ୍ତି, ଏହି ସବୁ ଯୋଜନା ଦେଶର ଆର୍ଥିକ ସ୍ଥିତି ପାଇଁ ଜମା ଠିକ୍ ନୁହେଁ। ରାଜ୍ୟଗୁଡିକ ଦେଶକୁ ସେମିତି ମାର୍ଗରେ ନେଇଯିବେ ଆଜି ଯେମିତି ଶ୍ରୀଲଙ୍କାର ସ୍ଥିତି ରହିଛି।
ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ନିଜ କାର୍ଯ୍ୟାଳୟରେ ସମସ୍ତ ବିଭାଗୀୟ ସଚିବଙ୍କ ସହିତ ବୈଠକ କରିଛନ୍ତି। ଏଥିରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡେଭାଲ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର ଏବଂ କ୍ୟାବିନେଟ୍ ସଚିବ ରାଜୀବ ଗୋବାଙ୍କ ସହିତ କେନ୍ଦ୍ର ସରକାରଙ୍କ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। ୨୦୧୪ ପରଠୁ ମୋଦୀଙ୍କ ସଚିବଙ୍କ ସହିତ ଏହା ହେଉଛି ନବମ ବୈଠକ।
ବୈଠକ ସମୟରେ ପ୍ରଧାନମନ୍ତ୍ରୀ ସଚିବ ଏବଂ ଅଧିକାରୀଙ୍କୁ କହିଛନ୍ତି ଯେ, କାମଚଳା ପଦକ୍ଷେପ ନେବା ମାନସିକତାରୁ ବାହାରି ନୂତନ ଚ୍ୟାଲେଞ୍ଜର ସାମ୍ନା କରନ୍ତୁ। ପୁରୁଣା ଯୋଜନା କାର୍ଯ୍ୟକାରୀ ନକରିବା ପାଇଁ ଗରିବିର ବାହାନା କରିବାର ପୁରୁଣା କାହାଣୀ ଶୁଣାଇବା ବନ୍ଦ କରନ୍ତୁ। ବଡ ଦୃଷ୍ଟିକୋଣ ଆପଣେଇ ନିଜର କର୍ତ୍ତବ୍ୟ ସଂପାଦନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ବିଶେଷ କରି ଦଳଗୁଡିକ ରାଜ୍ୟ ବିଧାନସବା ନିର୍ବାଚନ ଜିତିବା ପାଇଁ ଯେଉଁ ପରି ଲୋଭନୀୟ ଘୋଷଣା କରୁଛନ୍ତି ତାହା ରାଜ୍ୟର ଅର୍ଥନୀତିକୁ ପ୍ରଭାବିତ କରୁଛି। ବିଶେଷ କରି ଏମିତି ରାଜ୍ୟ ଅଛନ୍ତି ଯାହାର ଆର୍ଥିକ ସ୍ଥିତି ଠିକ୍ ନାହିଁ, ତଥାପି ସେଠାକାର ଶାସକୀୟ ଦଳ ଲୋଭନୀୟ ଯୋଜନା କରୁଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି।