ଭୁବନେଶ୍ୱର, ୧/୧ : ନୂଆ ବର୍ଷରେ ଆଜି ରାଜ୍ୟବାସୀଙ୍କୁ ନୂଆ ଭେଟି ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ୨୭ଟି ଜିଲ୍ଲା ପାଇଁ ୮୪ଟି ଆମ୍ବୁଲାନ୍ସକୁ ଲୋକାର୍ପଣ କରିଛନ୍ତି। ଏହି ୮୪ଟି ଆମ୍ବୁଲାନ୍ସ ମଧ୍ୟରୁ ବାଲେଶ୍ୱର ଜିଲ୍ଲାକୁ ସର୍ବାଧିକ ୧୧ଟି ଆମ୍ବୁଲାନ୍ସ ଯିବ ବୋଲି ଜଣାଯାଇଛି। ଏଥିପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ୫ବର୍ଷ ପାଇଁ ୧୦୪କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଏଥିପାଇଁ ୫୦୪ଜଣ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି ।
ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟର ମାଗଣା ୧୦୮ଆମ୍ବୁଲାନ୍ସ ସେବା ୨୦୧୩ ମାର୍ଚ୍ଚ ୫ତାରିଖରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ଟି ଜିଲ୍ଲାରେ ୬ଟି ବୋଟ ଆମ୍ବୁଲାନ୍ସ ସମେତ ମୋଟ ୫୧୮ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ରହିଛି। ଏତଦବ୍ୟତୀତ ରାଜ୍ୟରେ ଗର୍ଭବତୀ ମା ଓ ଶିଶୁଙ୍କ ପାଇଁ ୫୦୦ଟି ଜନନୀ ଏକ୍ସପ୍ରେସ କାର୍ଯ୍ୟକ୍ଷମ ଅଛି।