ବିଭିନ୍ନ ଡକ୍ୟୁମେଣ୍ଟରେ ବାୟୋମେଟ୍ରିକ୍ ଜରୁରି ହୋଇଥାଏ । ବାୟୋମେଟ୍ରିକ୍ ଆଙ୍ଗୁଳି ଚିହ୍ନ ନିଆଯାଇଥାଏ । କୁହାଯାଏ ଦୁନିଆରେ ଦୁଇ ଜଣକ ଚେହେରା, ସ୍ୱର ହୁଏତ ସମାନ ହୋଇପାରେ କିନ୍ତୁ ଆଙ୍ଗୁଳି ଚିହ୍ନ ବା ଫିଙ୍ଗରପ୍ରିଣ୍ଟ କେବେବି ସମାନ ହୋଇନପାରେ । ଅପରାଧୀଙ୍କୁ ଧରିବା ହେଉ କିମ୍ବା ହଜିଯାଇଥିବା ଶିଶୁକୁ ଖୋଜିବା ହେଉ ଫିଙ୍ଗରପ୍ରିଣ୍ଟ ସବୁବେଳେ କାମରେ ଆସିଥାଏ । ପ୍ରମାଣ ପତ୍ର ତିଆରି କରିବା ପାଇଁ ପ୍ରଥମେ ଆଙ୍ଗୁଠି ଚିହ୍ନ ନିଆଯାଇଥାଏ । କିନ୍ତୁ ଏଭଳି ଏକ ରୋଗ ଅଛି, ଯେଉଁଥରେ ରୋଗୀଙ୍କ ହାତରେ କୌଣସି ଚିହ୍ନ ରହିନଥାଏ ।
ଏହି ରୋଗର ନାମ ଆଡ୍ରମେଟୋଗ୍ଲିଫିଆ । ଏହା ଏକ ଆନୁବଂଶିକ ରୋଗ ଅଟେ । ଏହାର ପ୍ରଥମ ମାମଲା ୨୦୦୭ରେ ମିଳିଥିଲା । ଯେତେବେଳେ ଜଣେ ବିଦେଶୀ ମହିଳା ଆମେରିକା ଯିବାକୁ ଚାହୁଁଥିଲେ । ପାସପୋର୍ଟରେ ତାଙ୍କର ଚେହେରା ଫଟୋ ସହ ମେଳ ହେଉଥିଲେ ବି ତାଙ୍କ ଫିଙ୍ଗରପ୍ରିଣ୍ଟ ମେଳ ଖାଇନଥିଲା । କାରଣ ତାଙ୍କର ଫିଙ୍ଗରପ୍ରିଣ୍ଟ ହିଁ ନଥିଲା । ଏହାପରେ ବାଂଲାଦେଶରେ ଏକ ପରିବାରଠାରେ ଏଭଳି ରୋଗ ଦେଖିବାକୁ ମିଳିଥିଲା । ଏଭଳି ମାମଲା ସାମ୍ନାକୁ ଆସିବା ପରେ ଏହା ଉପରେ ଗବେଷଣା ଆରମ୍ଭ ହୋଇଥିଲା । ଯାହାପରେ ଆଡ୍ରମେଟୋଗ୍ଲିଫିଆ ରୋଗର ଜଣାପଡ଼ିଥିଲା ।
ଏହା ଏକ ଦୁର୍ଲଭ ରୋଗ ଯେଉଁଥିରେ ଆଙ୍ଗୁଳିରୁ ଚିହ୍ନ ବା ରେଖା ନଥାଏ । ୨୦୧୧ ରେ ଜଣାପଡ଼ିଥିଲା ଯେ ଗର୍ଭାବସ୍ଥା ସମୟରେ ଭ୍ରୁଣ ଶରୀରର ଏକ ଜିନ୍ ସ୍ମାରକାଡ୍୧ ରେ ବିଘଟନ ହୋଇଥାଏ । ଏହା ସେହି ଜିନ୍ ଯାହା ଯାହା ଗର୍ଭବାସ୍ଥାରେ ଭ୍ରୁଣର ଆଙ୍ଗୁଠିରେ ଚିହ୍ନ ପାଇଁ ଦାୟୀ ରହିଥାଏ । ଏହି ରୋଗର ଅନ୍ୟ ଏକ ଅସୁବିଧା ହେଉଛି ଏହାଦ୍ୱାରା ସ୍ୱେଟ୍ ଗ୍ଲାଣ୍ଡ୍ ଅର୍ଥାତ୍ ଝାଳ ଗ୍ରନ୍ଥୀ ହ୍ରାସ ପାଇଥାଏ । ଏହାଯୋଗୁଁ ଠିକ୍ ଭାବରେ ଝାଳ ବାହାରିନଥାଏ । ଫଳରେ ଅନ୍ୟ ସମସ୍ୟା ହୋଇଥାଏ । ଏହି ରୋଗ ଯୋଗୁଁ ଫିଙ୍ଗରପ୍ରିଣ୍ଟ ନେବା ସମ୍ଭବ ହୋଇନଥାଏ । ଫଳରେ ଅନେକ ଅସୁବିଧା ହୋଇପାରେ ।
