ଜୟପୁର,୬/୪: ଜୁନ୍ ମାସରେ ଜୟପୁର ଏୟାରପୋର୍ଟରୁ ଉଡ଼ିବ ବିମାନ। ଏହାପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବାକୁ ଆଜି ଜୟପୁରରେ ପହଞ୍ଚିଥିଲେ ୫ ଜଣିଆ ବିକାଶ ଟିମ୍। ଜୟପୁର ଏୟାରଷ୍ଟ୍ରିପ୍ରେ କିଭଳି ସୁରକ୍ଷା ବ୍ୟବସ୍ଥା ହୋଇଛି ଓ ଅନ୍ୟ କ’ଣ ବ୍ୟବସ୍ଥାର ଆବଶ୍ୟକତା ରହିଛି, ତାହାର ସମୀକ୍ଷା କରିଛନ୍ତି। ସବିଶେଷ ତଥ୍ୟ ସଂଗ୍ରହ କରି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଏହି ଟିମ୍ ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗ ସହ ମଧ୍ୟ ବିସ୍ତୃତ ଭାବେ ସୁରକ୍ଷା ସଂପର୍କିତ ଆଲୋଚନା କରିଛନ୍ତି। ବାକି ରହିଥିବା ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ପୂର୍ତ୍ତ ବିଭାଗକୁ କୁହାଯାଇଛି। ୨ ମାସ ମଧ୍ୟରେ ବଳକା କାମ ଶେଷ ହେଲେ ଜୟପୁରରୁ ବିମାନ ସେବା ଆରମ୍ଭ ହେବ ବୋଲି ସୂଚନା ମିଳିଛି।
ଭୁବନେଶ୍ବର ବିମାନ ବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ୫ ଜଣିଆ ବିକାଶ ଟିମ୍ ଆଜି ସକାଳ ୧୦ଟାରେ ଜୟପୁର ଏୟାରଷ୍ଟ୍ରିପ୍ରେ ଅବତରଣ କରିଥିଲେ। ଭୁବନେଶ୍ବର ବିସିଏଏସ୍ ଆଞ୍ଚଳିକ ନିର୍ଦ୍ଦେଶକ କେ.କେ ଝାଙ୍କ ନେତୃତ୍ବରେ ଏହି ଟିମ୍ରେ ଆଇବି ଜଏଣ୍ଟ ଡେପୁଟି ଡାଇରେକ୍ଟର ଜେ.ଆର ଆଚାର୍ଯ୍ୟ, ଏଭିଏସ୍ଇସି ନୋଡାଲ ଅଫିସର ଟଙ୍କଧର ପ୍ରଧାନ, ଭୁବନେଶ୍ବର ବିମାନବନ୍ଦର ଚିଫ୍ ସିକ୍ୟୁରିଟି ଅଫିସର ବି.ଏନ୍ ମହାପାତ୍ର, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଏଜିଏମ୍ ସରୋଜ କୁମାର ସାହୁ ପ୍ରମୁଖ ସାମିଲ୍ ଥିଲେ। ଏହି ଟିମ୍ ଜିଲ୍ଲା ପ୍ରଶାସନ ଓ କୋରାପୁଟ ଏସ୍ପି ବରୁଣ ଗୁଣ୍ଠପାଲୀଙ୍କ ସହ ଆଲୋଚନା କରିବା ପରେ ଏୟାରଷ୍ଟ୍ରିପ୍ର ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି ବୁଲି ଦେଖିଥିଲେ। ସେଠାରେ ଥିବା ଏକ୍ସ-ରେ ମେସିନ୍, ଜିନିଷପତ୍ର ଯାଞ୍ଚ ମେସିନ୍, ସିସିଟିଭି କ୍ୟାମେରା, ଡୋର ଫ୍ରେମ୍ ମେଟାଲିକ୍ ଡିଟେକ୍ଟର, ହେଣ୍ଡ୍ ହେଲଡ୍ ମେଟାଲିକ୍ ଡିଟେକ୍ଟର, ୱାକିଟକି ଆଦି ମେସିନ ସବୁ କେମିତି କାର୍ଯ୍ୟ କରୁଛି ପରୀକ୍ଷା କରିଥିଲେ।
ଏଥିସହ ଲୋକଙ୍କୁ ସୂଚନା ପ୍ରଦାନ ପାଇଁ କ’ଣ ବ୍ୟବସ୍ଥା ରହିଛି ଓ କିଭଳି ଲୋକେ ସୁବିଧାରେ ସୂଚନା ପାଇବେ ତାହାର ମଧ୍ୟ ଯାଞ୍ଚ କରିଥିଲେ। କେଉଁ ସ୍ଥାନରେ କେତେ ସୁରକ୍ଷାକର୍ମୀ ମୁତୟନ ହେବେ, ଗାଡି ପାର୍କିଂ କେଉଁଠି ହେବ, ଲୋକେ କେଉଁ ରାସ୍ତା ଦେଇ ଯାତାୟାତ କରିବେ ଓ ସେମାନଙ୍କୁ କିଭଳି ଭାବେ ଯାଞ୍ଚ କରାଯିବ ସେ ନେଇ ମଧ୍ୟ ହୋଇଥିବା ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ।