ଚଳଚ୍ଚିତ୍ର ଏବଂ ଧାରାବାହିକ ସୁଟିଂ ପାଇଁ ସର୍ତ୍ତମୂଳକ ଅନୁମତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଚଳଚ୍ଚିତ୍ର ସୁଟିଂ ନେଇ ରାଜ୍ୟ ସରକାର ସବୁଜ ସଂକେତ ଦେବା ପରେ ଓଲିଉଡରେ ଖୁସିର ଲହରି ଖେଳିଯାଇଛି। ସୁଟିଂ ସମୟରେ କରୋନା କଟକଣା ମାନିବାକୁ ନିର୍ଦେଶ ଦିଆଯାଇଛି। ଏହାର ଗୁରୁଦାୟିତ୍ୱ ରହିଛି ପ୍ରଡକ୍ସନ ସଂସ୍ଥା ଉପରେ। ଚଳିତ ମାସ ୭ ତାରିଖରୁ କୋଭିଡ-୧୯ ସମୟରେ ଉଭୟ ଇନଡୋର ଏବଂ ଆଉଟଡୋର ସୁଟିଂ ପାଇଁ ଏସ୍‍ଓପି ଜାରି ହୋଇଥିବାବେଳେ ଏନେଇ ଚଳଚ୍ଚିତ୍ର କଳାକାର ସଂଘ ସରକାରଙ୍କ ନିକଟରେ ଦାବି କରିବା ସହିତ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ।

ସୂଚନା ଅନୁଯାୟୀ, ୩୦ ପ୍ରତିଶତ କ୍ରିଉଙ୍କୁ ନେଇ ସୁଟିଂ କରାଯିବ। ଉଭୟ ଇନଡୋର ଏବଂ ଆଉଟଡୋର ସୁଟିଂକୁ ଅନୁମତି ମିଳିଛି। ଓଟିଟି ପ୍ଲାଟଫର୍ମକୁ ମଧ୍ୟ ଏହି ଏସ୍‍ଓପି ଅନୁକରଣ କରିବାକୁ କୁହାଯାଇଛି। ୪ମାସର ଲକ୍‍ଡାଉନ୍‍ ପାଇଁ ଚଳଚ୍ଚିତ୍ର ଏବଂ ଧାରାବାହିକ ଶିଳ୍ପ କ୍ଷତିର ସମ୍ମୁଖୀନ ହୋଇଥିବା ବେଳେ ବହୁ କଳାକାର ଏବଂ ଟେକ୍ନିସିଆନ୍‍ ଜୀବିକା ହରାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁଟିଂ ଲାଗି ପ୍ରଯୋଜନା ସଂସ୍ଥାଗୁଡ଼ିକ ପାଇଁ ଏସ୍‍ଓପି ଜାରି କରାଯାଇଛି। ସେଟ୍‍ର ସମସ୍ତପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ସୀମିତ କଳାକାର ଏବଂ ଟେକ୍ନିସିଆନଙ୍କୁ ନେଇ ସୁଟିଂ କରିବାକୁ କୁହାଯାଇଛି।

ସେହିଭଳି ପୋଷ୍ଟ ପ୍ରଡକ୍ସନ, ମେକ୍‍ଅପ୍‍ ସମୟରେ ସୁରକ୍ଷା ଲାଗି ସାମାଜିକ ଦୂରତା ରକ୍ଷା ଏବଂ ନିୟମିତ ବ୍ୟବଧାନରେ ସେଟ୍‍ର ସାନିଟାଇଜେସନ କରିବାକୁ କୁହାଯାଇଛି। ସୁଟିଂ ସେଟ୍‌ ଅବା ସ୍ଥାନକୁ ପ୍ରବେଶ ପୂର୍ବରୁ କାଶ ଏବଂ ତାପମାତ୍ରା ତଦାରଖ କରାଯିବ। ସେଟ୍‌ରେ ଏକ ନାମଫଳକ ସହିତ ସେଥିରେ ଏକ ଜରୁରୀକାଳୀନ ନମ୍ବର ମଧ୍ୟ ରହିବ। ଏହାସହିତ ପ୍ରତି କଳାକାର ଏବଂ ସଦସ୍ୟଙ୍କ ସମ୍ପୂର୍ଣ୍ଣ ବାୟୋଡାଟା ଗ୍ରହଣ କରାଯିବ। ଗର୍ଭବତୀ ଏବଂ ୬୫ ବର୍ଷରୁ ଅଧିକ ବର୍ଷ ସଦସ୍ୟଙ୍କୁ ସେଟ୍‍ ବାରଣ ହୋଇଛି। ଅନ୍ୟପକ୍ଷରେ ଫ୍ଲୋରରେ ୩ ୱାସ୍‌ରୁମ୍‍ ସହିତ ପ୍ରତି ଘଣ୍ଟାରେ ସୁଟିଂ ସ୍ଥାନ ସାନିଟାଇଜ କରିବାକୁ କୁହାଯାଇଛି।