ଭୁବନେଶ୍ୱର, ୧୩/୦୪ : ପୁଣି ଆରମ୍ଭ ହେଲା ଗ୍ରୀଷ୍ମ ପ୍ରକୋପ। କଲବଲ କରିବା ଆରମ୍ଭ କଲା ତାତି। ତାତି ଏବଂ ଗୁଳୁଗୁଳି ଜଳୁଛନ୍ତି ରାଜ୍ୟବାସୀ। ଆଜି ତାଟିକୁ ଦୃଷ୍ଟିରେ ରଖି ୧୧ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲିଠୁ ଆହୁରି ତାତି ବଢିବା ସହିତ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ। ୧୫ ତାରିଖ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର କରିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଜିଲ୍ଲାରେ ୪୫ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିପାରେ ତାପମାତ୍ରା। ଏପରିକି ବଲାଙ୍ଗୀର ଜିଲ୍ଲାରେ ୪୬ ଡିଗ୍ରି ତାତି ଅନୁଭୂତ ହେବାର ସମ୍ଭାବନା ରହିଛି। ଏହି ପରିସ୍ଥିତିରେ ଦିନବେଳେ ଘରୁ ବାହାରିବା ବେଳେ ସାବଧାନ ରହିବା, ପର୍ଯ୍ୟାପ୍ତ ପାଣି ପିଇବା ଓ ସୂର୍ଯ୍ୟର ସିଧାସଳଖ କିରଣରୁ ଦୂରେ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାସହିତ ଅଂଶୁଘାତକୁ ଦୃଷ୍ଟିରେ ରଖି ସମସ୍ତ ଛକ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା ମଧ୍ୟ କରାଯାଇଛି।