ପୁଣି ଫେରୁଛି ଗ୍ରୀଷ୍ମ ପ୍ରଭାବ : ରାଜ୍ୟରେ ଆହୁରି କରିବ କଲବଲ

ଭୁବନେଶ୍ୱର, ୧୨/୦୪ : ରାଜ୍ୟରେ ପୁଣି ଫେରୁଛି ଗ୍ରୀଷ୍ମ ପ୍ରଭାବ। ଆଜିଠାରୁ ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏପ୍ରିଲ ଆରମ୍ଭରୁ ହିଁ ରାଜ୍ୟରେ କଲବଲ କଲାଣି ତାତି। ଅସହ୍ୟ ଗରମ ଓ ଗୁଳିଗୁଳିରେ ଅସ୍ତବ୍ୟସ୍ତ ହେଲାଣି ଜୀବନ। ସକାଳ ୮ ଟାରୁ ଅନୁଭୂତ ହେଉଛି ଟାଣ ଖରା। ସେହିପରି ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟର ୧୧ଟି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ସହ ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜିଠାରୁ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ବିଶେଷକରି ୧୩ରୁ ୧୪ ତାରିଖ ମଧ୍ୟରେ ଗରମ ଓ ଗୁଳୁଗୁଳିର ପ୍ରକୋପ ଚୂଡ଼ାନ୍ତ ସ୍ତରକୁ ପହଞ୍ଚିପାରେ। ଏହାସହ ୧୫ ତାରିଖ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ପାର କରିପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହି ପରିସ୍ଥିତିରେ ଦିନବେଳେ ଘରୁ ବାହାରିବା ବେଳେ ସାବଧାନ ରହିବା, ପର୍ଯ୍ୟାପ୍ତ ପାଣି ପିଇବା ଓ ସୂର୍ଯ୍ୟର ସିଧାସଳଖ କିରଣରୁ ଦୂରେ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଏହାସହିତ ଅଂଶୁଘାତକୁ ଦୃଷ୍ଟିରେ ରଖି ସମସ୍ତ ଛକ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା ମଧ୍ୟ କରାଯାଇଛି।