ଇଣ୍ଡୋନେସିଆରେ ବାଲିଯାତ୍ରା ସମ୍ପର୍କରେ ଚର୍ଚ୍ଚା କଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ Video

ନୂଆଦିଲ୍ଲୀ: ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଇଣ୍ଡୋନେସିଆରେ ଅଛନ୍ତି। ଏଠାରେ ଭାରତୀୟ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟକୁ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନ ପ୍ରଧାନମନ୍ତ୍ରୀ କଟକର ବାଲିଯାତ୍ରା ବିଷୟରେ ଆଲୋଚନା କରିଥିଲେ। ଏହି ପର୍ବ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ହଜାରେ ବର୍ଷର ବାଣିଜ୍ୟ ସମ୍ପର୍କର ଉତ୍ସବ ଅଟେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭଲ ଏବଂ ଖରାପ ସମୟରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କ ମଜବୁତ ରହିଛି। ଇଣ୍ଡୋନେସିଆ ଏବଂ ଭାରତ ମଧ୍ୟରେ ସାଂସ୍କୃତିକ ସଂଯୋଗର ବିଭିନ୍ନ ଦିଗ ବିଷୟରେ ସେ ଉଲ୍ଲେଖ କରିଛନ୍ତି। ଅନେକ ପିଢ଼ି ପରେ ମଧ୍ୟ ଇଣ୍ଡୋନେସିଆରେ ଭାରତୀୟମାନେ ନିଜ ମୂଳ ପରମ୍ପରାକୁ ଭୁଲି ନାହାନ୍ତି। ବାଲି ମାଟିକୁ ଅତ୍ୟନ୍ତ ଆନନ୍ଦଦାୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଏହି ଅବସରରେ କଟକରେ ଚାଲିଥିବା ବାଲିଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାଲିଠାରୁ ୧୫ ଶହ କିମି ଦୂରରେ କଟକ ବାଲିଯାତ୍ରା ଚାଲିଛି। ଏହି ଯାତ୍ରା ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଶହ ଶହ ବର୍ଷର ବାଣିଜ୍ୟ ପରମ୍ପରାର ନିଦର୍ଶନ ବୋଲି କହିଛନ୍ତି ମୋଦି। ଚଳିତ ବର୍ଷ ଇଣ୍ଡୋନେସିଆବାସୀ ଇଣ୍ଟରନେଟରେ ବାଲିଯାତ୍ରାର ଫଟୋ ଦେଖି ନିଶ୍ଚୟ ଖୁସି ଅନୁଭବ କରିବେ ବୋଲି ସେ କହିଛନ୍ତି। କୋଭିଡ ପାଇଁ କିଛି ବର୍ଷ ଏଥିରେ ବାଧା ଉପୁଜିଥିଲେ ମଧ୍ୟ ଚଳିତବର୍ଷ ଧୁମଧାମରେ ଏହା ପାଳନ ହେଉଛି।

ବାଲିରେ ପିଏମ୍‌ ମୋଦି କହିଛନ୍ତି, ବାଲିରେ ଏକ ଅଲଗା ପ୍ରକାର ମାହୋଲ ରହିଛି ଏବଂ ଆମକୁ ଏହି ମାହୋଲ ଅଲଗା ପ୍ରକାର ଶକ୍ତି ଦେଉଛି। ଆଜି ଆମେ ବାଲିର ପରମ୍ପରାର ଗୀତ ଗାଉଛୁ। ଭାରତର କଟକ ସହରରେ ମହାନଦୀ କୂଳରେ ବାଲିଯାତ୍ରା ଚାଲିଛି। ଓଡ଼ିଶାର ଲୋକମାନଙ୍କ ମନ ବାଲିରେ ରହିଛି। ତରଙ୍ଗ ଭଳି ଇଣ୍ଡୋନେସିଆ ସହ ଆମର ସମ୍ପର୍କ ରହିଛି ବୋଲି ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଇଣ୍ଡୋନେସିଆର ବାଲି ଆସିବା ପରେ ହିନ୍ଦୁସ୍ତାନୀଙ୍କୁ ଏକ ଅଲଗା ପ୍ରକାରର ଅନୁଭୂତି ମିଳିଥାଏ ଏବଂ ଭିନ୍ନ ପ୍ରକାରର ଅନୁଭବ ହୋଇଥାଏ। ମୁଁ ବି ସେହି କମ୍ପନ ଅନୁଭବ କରୁଛି।

କହି ରଖୁଛୁ, ମୋଦି G-20 ସମ୍ମିଳନୀରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କୁ ଭେଟିଥିଲେ। ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବା ପରେ ରିଷି ସୁନକଙ୍କ ସହ ମୋଦିଙ୍କର ଏହା ପ୍ରଥମ ସାକ୍ଷାତ। ଭାରତୀୟ ବଂଶୋଦ୍ଭବ ରିଷି ସୁନକ ବ୍ରିଟେନରେ ହୋଇଥିବା ରାଜନୈତିକ ଅସ୍ଥିରତା ଏବଂ ଲିଜ୍‌ ଟ୍ରସ୍‌ଙ୍କ ଇସ୍ତଫା ପରେ ଅକ୍ଟୋବରରେ କଞ୍ଜରଭେଟିଭ୍‌ ପାର୍ଟିର ପ୍ରମୁଖ ତଥା ୟୁକେର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏଥି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G-20 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ଗମ୍ଭୀରତାର ସହ ସାକ୍ଷାତ କରିଥିଲେ। ପିଏମ୍‌ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ୍‌ ମାକ୍ରୋନ୍‌ଙ୍କୁ ମଧ୍ୟ ଭେଟିଥିଲେ। ମୋଦି ଏଠାରେ ଖାଦ୍ୟ ଏବଂ ଶକ୍ତି ସୁରକ୍ଷା ଉପରେ ଆୟୋଜିତ ଅଧିବେଶନକୁ ସମ୍ବୋଧିତ କରିଥିଲେ। ସେହିପରି ଭାରତର ଆଗାମୀ ଜି -୨୦ ଅଧ୍ୟକ୍ଷତା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯେତେବେଳେ ‘(ଗୌତମ) ବୁଦ୍ଧ ଏବଂ (ମହାତ୍ମା) ଗାନ୍ଧୀଙ୍କ ଜନ୍ମସ୍ଥାନରେ ଜି -୨୦ ସମ୍ମିଳନୀ ହେବ, ଆମେ ସମସ୍ତେ ଏକାଠି ହୋଇ ବିଶ୍ୱକୁ ଶାନ୍ତିର ବାର୍ତା ଦେବା।