ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ନୂତନ ସଂସ୍କୃତି ଭବନ ନିର୍ମାଣ ହେବ । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏଥିପାଇଁ ୫ କୋଟି ୪୯ ଲକ୍ଷ ଅନୁଦାନ ରାଶି ମଞ୍ଜୁର କରାଯାଇଥିବା ଜଣା ପଡିଛି । ୨୦୦୯ ମସିହାରେ ନିର୍ମିତ ହୋଇଥିବା ପୁରୁଣା ସଂସ୍କୃତି ଭବନଟି ଜରାଜୀର୍ଣ୍ଣ ପଡିଥିବାରୁ ତାକୁ ଭଙ୍ଗା ଯାଇ ସେଠାରେ ନୂଆ ସଂସ୍କୃତି ଭବନ ନିର୍ମାଣ କରାଯିବ ବୋଲି ଜଣାପଡିଛି ।
ଅନ୍ୟପକ୍ଷରେ ୨୦୨୦ ମସିହାରେ ସଂସ୍କୃତି ବିଭାଗ ପକ୍ଷରୁ ଭବାନୀପାଟଣାଠାରେ ନାଟ୍ୟ ମଣ୍ଡପ ନିର୍ମାଣ ପାଇଁ ୪୫ ଲକ୍ଷର ଅନୁଦାନ ପ୍ରଦାନ କରାଯାଇଥିଲା । ଜାଗା ଚିହ୍ନଟ କରାଯିବାରେ ତହସିଲ ବିଭାଗର ଟାଳଟୁଳ ନୀତିଯୋଗୁଁ ଏହି ନାଟ୍ୟ ମଣ୍ଡପ ନିର୍ମାଣ ଯୋଜନାକୁ ବାତିଲ କରାଯାଇଥିବା ଜଣାପଡିବା ପରେ ଜିଲ୍ଲାର କଳାକାର ତଥା ସଂସ୍କୃତି ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ମତେ ୨୦୨୦ ସେପ୍ଟେମ୍ବର ୨୪ ତାରିଖ ନାଟ୍ୟ ମଣ୍ଡପ ନିର୍ମାଣ କରାଯିବା ଆବଶ୍ୟକ ୧ ଏକର ଜାଗା ଚିହ୍ନଟ କରାଯିବାକୁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କଳାହାଣ୍ଡି ତହସିଲକୁ ଅନୁରୋଧ କରାଯାଇଥିଲା ।
ପୁନର୍ବାର ୨୦୨୧ ମେ ମାସରେ ଏଥି ପାଇଁ ଭବାନୀପାଟଣା ତହସିଲଦାରଙ୍କୁ ଚିଠି କରାଯାଇଥିବା ଜଣାଯାଇଛି । ମାତ୍ର ବାରମ୍ବାର ପ୍ରୟାସ ସତ୍ତେ୍ୱ ତହସିଲ କାର୍ଯ୍ୟାଳୟର ଅବହେଳା ଯୋଗୁଁ ଦୁଇ ବର୍ଷ ଅତିକ୍ରାନ୍ତ ହୋଇଯିବାରୁ ନାଟ୍ୟ ମଣ୍ଡପ ନିର୍ମାଣ ଯୋଜନାକୁ ରାଜ୍ୟ ସଂସ୍କୃତି ବିଭାଗ ବାତିଲ କରିଥିବା ଜଣା ପଡିବା ପରେ ଜିଲ୍ଲାର କଳା ତଥା ସଂସ୍କୃତି ପ୍ରେମୀମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।