ୱାଶିଂଟନ, ୧/୬: କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କ ହତ୍ୟା ବିରୋଧରେ ଚାଲିଥିବା ହିଂସା ପ୍ରଦର୍ଶନ ଏବେ ଆମେରିକା ହ୍ୱାଇଟ ହାଉସରେ ଯାଇଁ ପହଁଞ୍ଚିଥିବା ଜଣାପଡିଛି । ୱାଶିଂଟନ୍ ଡିସିରେ ହ୍ୱାଇଟ ହାଉସ୍ ବାହାରେ ବିକ୍ଷୋଭକାରୀମାନେ ଏକାଠି ହେବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହ୍ୱାଇଟ ହାଉସ ପରିସରରେ ଥିବା ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କରକୁ ନିଆଯାଇଥିବା ଜଣାପଡିଛି । ରାଷ୍ଟ୍ରପତି ଟ୍ରମ୍ପ ବଙ୍କରରେ ପ୍ରାୟ ଏକ ଘଣ୍ଟା ବିତାଇଥିଲେ ଏବଂ ପରେ ସ୍ଥିତି ସୁଧୁରିବା ପରେ ତାଙ୍କୁ ବଙ୍କରରୁ ବାହାରକୁ ଅଣାଯାଇଥିଲା।
ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ଏବଂ ତାଙ୍କ ପୁଅ ବେରନଙ୍କୁ ମଧ୍ୟ ବଙ୍କରକୁ ନିଆଯାଇଥିଲା। ଆମେରିକାରେ କୃଷ୍ଣକାୟ ବ୍ୟକ୍ତିଙ୍କ ହତ୍ୟା ପରେ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡିଛି । ୱାଶିଂଟନ୍ ସମେତ ୪୦ ଟି ସହରରେ କର୍ଫ୍ୟୁ ଲାଗୁ କରାଯାଇଛି। ବିକ୍ଷୋଭକାରୀମାନେ ବିଭିନ୍ନ ସ୍ଥାନରେ ପୋଲିସ ସହିତ ହିଂସାତ୍ମକ ସଂଘର୍ଷ କରୁଛନ୍ତି, ପୋଲିସ ହିଂସାତ୍ମକ ଭିଡ଼ ଉପରେ ଲୁହବୁହା ଗ୍ୟାସ ଛାଡିଛି। ଅନ୍ୟପକ୍ଷରେ, ଅଶ୍ୱେତ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ମିନିୟା ପୋଲିସ ବିରୁଦ୍ଧରେ ଲୋକଙ୍କ ଆକ୍ରୋଶ ବଢିବାରେ ଲାଗିଛି । ଅନ୍ୟପକ୍ଷରେ କିଛି ଲୋକ ଏହି ପ୍ରଦର୍ଶନକୁ ବାମ ବନାମ ଡାହାଣର ରାଜନୈତିକ ରଙ୍ଗ ଦେଉଛନ୍ତି, ଯାହା ପରିସ୍ଥିତିକୁ ଆହୁରି ଖରାପ କରୁଛି।
ଲୋକଙ୍କ ହିଂସାତ୍ମକ ବିରୋଧକୁ ଦୃଷ୍ଟିରେ ରଖି ୱାଶିଂଟନ୍ ଡିସିରେ କର୍ଫ୍ୟୁ ଲାଗୁ କରାଯାଇଛି। ୱାଶିଂଟନ୍ ଡିସି ମେୟର ମୁରିଏଲ ବୋଉସର୍ କହିଛନ୍ତି ଯେ ମିନିୟା ପୋଲିସ ହେପାଜତରେ ଜଣେ ଅସ୍ତ୍ରହୀନ କୃଷ୍ଣସାର ବ୍ୟକ୍ତି ଜର୍ଜ ଫ୍ଲଏଡ୍ଙଙ୍କ ମୃତ୍ୟୁ ପରେ ହ୍ୱାଇଟହାଉସ୍ ବାହାରେ ବିକ୍ଷୋଭକାରୀ ଏବଂ ପୋଲିସ୍ ମଧ୍ୟରେ ତିକ୍ତତା ବଢିଥିଲା ପରେ ଏହା ସାରା ସହରରେ ବ୍ୟାପି ଯାଇଥିଲା ଯାହାଫଳରେ ସହରରେ କର୍ଫ୍ୟୁ ଲାଗୁ କରାଯାଇଛି । ସେ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ କର୍ଫ୍ୟୁ (ଆମେରିକାର ସମୟ ଅନୁଯାୟୀ) ରବିବାର ରାତି ୧୧ ଟାରୁ ୧ ଜୁନ ସୋମବାର ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।
ୱାଶିଂଟନ୍ ଡିସିର ମେୟର ମଧ୍ୟ ସ୍ଥାନୀୟ ପୋଲିସକୁ ସହାୟତା କରିବାକୁ ଡିସି ନ୍ୟାସନାଲ ଗାର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକାର ରାଜଧାନୀରେ କ୍ରମାଗତ ତୃତୀୟ ଦିନ ପାଇଁ ଫ୍ଲୋଇଡଙ୍କ ମୃତ୍ୟୁ ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ୱାଶିଂଟନ୍ ମହାନଗର ନିଗମର ପୋଲିସ୍ ମୁଖ୍ୟ ପିଟର ନ୍ୟୁଜାମ କହିଛନ୍ତି ଯେ ମହାନଗର ନିଗମ ପୋଲିସ ଶନିବାର ରାତିରେ ୧୭ ଜଣଙ୍କୁ ଗିରଫ କରିଥିଲା ଏବଂ ବିରୋଧ ସମୟରେ ୧୧ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ।
ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଜର୍ଜଙ୍କ ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ଦିଗହରା କରାଯାଇଛି ଏବଂ ବର୍ତ୍ତମାନ ଏଭଳି ଲୋକଙ୍କୁ ଆତଙ୍କବାଦୀ ଘୋଷଣା କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ଆମେରିକା ଆଣ୍ଟିଫାକୁ ଆତଙ୍କବାଦୀ ସଂଗଠନ ଘୋଷଣା କରାଯିବ ବୋଲି ଟ୍ରମ୍ପ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଏହି ହିଂସା ପାଇଁ ଆଣ୍ଟିଫା ନାମକ ବାମପନ୍ଥୀ ସଂଗଠନଗୁଡିକୁ ଟ୍ରମ୍ପ ଦାୟୀ କରିଛନ୍ତି।
ମେ ୨୫ ରେ, ଜଣେ ଶ୍ୱେତ ପୋଲିସ ଅଧିକାରୀ ଡେରେକ ଚାଉଭିନ ୪୬ ବର୍ଷିୟ ଅଶ୍ୱେତ ବ୍ୟକ୍ତି ଫ୍ଲଏଡଙ୍କୁ ବେକକୁ ଆଣ୍ଠୁ ଦ୍ୱାରା ଚାପି ଧରିଥିଲେ। ଏହି ସମୟ ମଧ୍ୟରେ ସେ ବାରମ୍ବାର କହିଥଲେ, ‘ମୁଁ ନିଶ୍ୱାସ ନେଇପାରୁ ନାହିଁ … ଦୟାକରି, ମୁଁ ନିଶ୍ୱାସ ନେବାକୁ ସକ୍ଷମ ନୁହେଁ | ମୋତେ ମୁକ୍ତି କର। ‘ ହେଲେ ପୋଲିସ ଅଧିକାରୀ ଜଣଙ୍କ ତାଙ୍କର କୈଣସି କଥା ଶୁଣିନଥିଲା କିଛି ସମୟ ଏଭଳି କଷ୍ଟ ପାଇବା ପରେ ଫ୍ଲଏଡଙ୍କ ମୃତ୍ୟୁ ହୋଇଯାଇଥିଲା । ବିବାଦ ବଢିବା ପରେ ଏଭଳି ନିର୍ଯ୍ୟାତନା ଦେଇ ହତ୍ୟା କରିଥିବା ଅଭିଯୋଗରେ ଉକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରାଯାଇଛି ।