ଢେଙ୍କାନାଳ, ୨୫/୨: ଆଜିଠାରୁ ୩ ଦିନ ଧରି ପାଳନ ହେବ ବିଶ୍ୱପ୍ରସିଦ୍ଧ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମେଳା । ଯେଉଁଠାକୁ ପ୍ରତି ବର୍ଷ ଭକ୍ତମାନଙ୍କ ସୁଅ ଛୁଟେ ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମସ୍ତ ଭକ୍ତ ଓ ସାଧୁସନ୍ଥ ମାନଙ୍କୁ ଏହି ମେଳାରେ ବାରଣ କରିିଛି । କିନ୍ତୁ ଜିଲ୍ଲା ବାହାରର ସାଧୁସନ୍ଥ କୋଭିଡ ନେଗେଟିଭ୍ ରିପୋର୍ଟ ଦେଖାଇ ମେଳାରେ ଯୋଗ ଦେଇପାରିବେ । ଏହା ବ୍ୟତିତ କେବଳ ସ୍ଥାନୀୟ ଅଚଂଳର ଲୋକ ଓ ସାଧୁସନ୍ଥଙ୍କୁ ଏହି ଅନୁମତି ମିଳିବ ବୋଲି କୁହାଯାଇଛି ।
୧୮୭୪ ମସିହା ମାଘ ଶୁକ୍ଲ ଚତୁର୍ଦ୍ଦଶୀରେ ମହିମାସ୍ୱାମୀ ଯୋରନ୍ଦାଠାରେ ମାଘ ମେଳା ଆରମ୍ଭ କରିଥିଲେ। ଏହି ମେଳା ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ। ପ୍ରଥମ ଦିନ ବାବାଙ୍କ ପୂର୍ଣ୍ଣିମା ଓ ଦ୍ୱିତୀୟ ଦିନ ଦେଶ ପୂର୍ଣ୍ଣିମା ଭାବରେ ଏହା ପାଳିତ ହୋଇଥାଏ। ଚଳିତ ବର୍ଷ ମେଳା ୩ ଦିନ ହେବ। ଗାଦି ମନ୍ଦିରର ଚାରିମୁଖଶାଳାରେ ଚାରୋଟି ଝାଡବୃକ୍ଷ ସ୍ଥାପନ କରାଯାଇ ସେଥିରେ ଅହୋରାତ୍ର ଘୃତାହୂତି ପ୍ରଦାନ କରାଯିବ। ଆଜି ପ୍ରାତଃ ବ୍ରାହ୍ମମୂହୂର୍ତ୍ତ ସାଢେ ତିନିଟାରେ ଗାଦିମନ୍ଦିର ସ୍ୱତନ୍ତ୍ର ନୀତି କରାଯାଇଛି। ତ୍ରିସନ୍ଧ୍ୟା ଉପାସନା ପରେ ଅପରାହ୍ନ ୫.୪୦ରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡଦୀପ ପ୍ରଜ୍ୱଳନ ହେବ। ଏଥିସହିତ ଶୂନ୍ୟମନ୍ଦିର, ଧୂନୀ ମନ୍ଦିର, ଏକୋଇଶହାତିଆ ମନ୍ଦିର, ଜ୍ୟୋତି ମନ୍ଦିର ଏବଂ ବତୀ ମନ୍ଦିରରେ ଗୋଟିଏ ଲେଖାଏଁ ଝାଡବୃକ୍ଷ ସ୍ଥାପନ କରାଯାଇ ଘୃତାହୃତି ପ୍ରଦାନ କରାଯିବ।