ନୂଆଦିଲ୍ଲୀ, ୧୨/୦୩ : ଆମେରିକାରେ ଏକ କାର ପବନରେ ଉଡ଼ୁଥିବାର ଦେଖିବାକୁ ମିଳିଛି । ବିଶ୍ୱ ଦରବାରରେ ଟେକ୍ନୋଲୋଜିର ଏଭଳି ଅଗ୍ରଗତି ଦେଖିବା ପରେ ଏବେ କୌଣସି ବି କାର୍ଯ୍ୟ ଅସମ୍ଭବ ମନେ ହେଉ ନାହିଁ । ଟେକ୍ନୋଲୋଜି ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଡିଭାଇସ ଲଞ୍ଚ ହେଉଛି । ଏହାରି ଭିତରେ ଏବେ ଆମେରିକାରେ ଲଞ୍ଚ ହୋଇଛି ବିଶ୍ୱର ପ୍ରଥମ ଫ୍ଲାଇଙ୍ଗ କାର୍ । ଏହା ଶୁଣି ଆପଣଙ୍କୁ ଖୁବ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ସେହିଦିନ ଦୂର ନୁହେଁ ଯେବେ ସଧାରଣ ଲୋକମାନେ ମଧ୍ୟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ପାଇଁ ଏହି ଉଡ଼ନ୍ତା କାରର ବ୍ୟବହାର କରିବେ । ଏହାର ଡିଜାଇନ୍ ଏକ ସାଧାରଣ କାର ପରି ଦେଖାଯାଉଛି, ଯାହା ଏହାକୁ ଅନ୍ୟ ଉଡ଼ନ୍ତା କାର ଠାରୁ ଭିନ୍ନ କରିଥାଏ । ଏହି କାରର ମୂଲ୍ୟ ପ୍ରାୟ ୨.୬୨ କୋଟି ଟଙ୍କା ରହିଛି । ଆଲେଫ୍ ମଡେଲ୍ ଜିରୋ ହେଉଛି ଏକ ଇଲେକ୍ଟ୍ରିକ୍ ଉଡ଼ନ୍ତା କାର ଯାହାକୁ ଡ୍ରୋନ୍ ପରି ସିଧା ଉପରକୁ ଉଡ଼ିବା ପାଇଁ ଡିଜାଇନ୍ କରାଯାଇଛି । କମ୍ପାନୀ ଦ୍ୱାରା ଜାରି କରାଯାଇଥିବା ଭିଡିଓରେ, ଏହି କାରଟି ପ୍ରଥମେ ରାସ୍ତାରେ ଗତି କରେ, ତା’ପରେ କିଛି ସେକେଣ୍ଡ ମଧ୍ୟରେ ଏହା ଉପରକୁ ଉଠି ପବନରେ ଉଡ଼ୁଥିବାର ଦେଖାଯାଉଛି । ଏହି ଉଡ଼ନ୍ତା କାରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହା ରାସ୍ତାରୁ ସିଧା ଉପରକୁ ଉଠିପାରିବ, ଏଥିପାଇଁ ହେଲିକପ୍ଟର କିମ୍ବା ବିମାନର ରନୱେ ପରି କୌଣସି ସ୍ଥାନ ଆବଶ୍ୟକ ହୁଏ ନାହିଁ । କାରରେ ୮ଟି ମୋଟରଚାଳିତ ରୋଟର ଲାଗିଛି, ଯାହା କାରର ବଡିରେ ଲୁଚି ରହିଛି । ଏହା ବ୍ୟତୀତ କାରର ବଡିରେ ଏକ ମେସ୍ ଡିଜାଇନ୍ ଅଛି, ଯାହା ପବନରେ ଗାଡିର ସନ୍ତୁଳନ ବଜାୟ ରଖେ । ଏହାର ସର୍ବାଧିକ ଗତି ଘଣ୍ଟା ପ୍ରତି ୪୦ କିଲୋମିଟର ଏବଂ ଏହା ଥରେ ଚାର୍ଜ କଲେ ୩୨୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ । କମ୍ପାନୀ ୨୦୩୫ ସୁଦ୍ଧା Model Z ନାମକ ଏକ ୪-ସିଟ୍ ବିଶିଷ୍ଟ ଉଡ଼ନ୍ତା କାର ଲଞ୍ଚ କରିବାକୁ ମଧ୍ୟ ଯୋଜନା କରୁଛି । ତେବେ ଏହି ଉଡନ୍ତା କାର ଆଗାମୀ ସମୟରେ ସାଧାରଣ ଲୋକଙ୍କ ପାଇଁ ଅତ୍ୟନ୍ତ ସାହାଯ୍ୟକାରୀ ଏବଂ ଟେକ୍ନୋଲୋଜି ଦୁନିଆରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାକୁ ଯାଉଛି ।