ବ୍ରହ୍ମ ତାଳଧ୍ୱଜ ରଥ ଏଥର ନୂଆ ହେବ : ନିର୍ମାଣ ପାଇଁ ୧ କୋଟି

ଭୁବନେଶ୍ୱର, ୨୬/୦୨ : ତୁଳସୀ କ୍ଷେତ୍ରରେ ଗଡୁଥିବା ବ୍ରହ୍ମ ତାଳଧ୍ୱଜ ରଥ ଏଥର ନୂଆ ହେବ । ପୂର୍ବରୁ ଯେପରି ପୁରୁଣା ରଥକୁ ମରାମତି କରାଯାଉଥିଲା ତାହା ହେବ ନାହିଁ । ରଥ ପାଇଁ ବ୍ୟବହାର ହେଉଥିବା ସମସ୍ତ ଚକ, ଅଖ ନୂଆ ହେବ । ପୂର୍ବ ବର୍ଷର କୌଣସି ପୁରୁଣା କାଠ ବ୍ୟବହାର ହେବ ନାହିଁ । ଏହି ନୂଆ ରଥ ନିର୍ମାଣ ପାଇଁ ସରକାର ଏକ କୋଟି ଟଙ୍କା ପ୍ରଦାନ କରିବେ ବୋଲି ବିଧି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବଳଦେବଜୀଉ ମନ୍ଦିର ପ୍ରଶାସନର ଅଧିକାରୀ ବଳଭଦ୍ର ପତ୍ରୀ କହିଛନ୍ତି ନୂତନ ରଥ ନିର୍ମାଣ କରିବା ପାଇଁ ହେଲେ ୩୫୫୦ କୁବିକ ଫୁଟ ଶାଳ କାଠର ଆବଶ୍ୟକତା ରହିଛି । ଏହି କାଠକୁ ବନ ବିଭାଗ ଠାରୁ କିଣିବାକୁ ପଡିବ । କାରଣ ସରକାର କେବଳ ପୁରୀ ରଥଯାତ୍ରା ଓ ଲିଙ୍ଗରାଜ ରଥଯାତ୍ରା ପାଇଁ ମାଗଣାରେ କାଠ ଯୋଗାଇ ଦିଅନ୍ତି । ହେଲେ କେନ୍ଦ୍ରାପଡ଼ାର ବ୍ରହ୍ମତାଳଧ୍ୱଜ ରଥ ପାଇଁ ମାଗଣାରେ କାଠ ଯୋଗାଇ ଦିଅନ୍ତି ନାହିଁ । ପ୍ରତିବର୍ଷ ବ୍ରହ୍ମ ତାଳଧ୍ୱଜ ରଥ ପାଇଁ ୬୩୮ କୁବିକ ଫୁଟର କାଠର ଆବଶ୍ୟକତା ପଡିଥାଏ । ଚଳିତ ବର୍ଷ ନୂତନ ରଥ ନିର୍ମାଣ ପାଇଁ ସରକାର ନିର୍ଦେଶ ଦେଇଥିବାରୁ ବନ ବିଭାଗକୁ ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଯୋଗ କରାଯିବ । ବନ ବିଭାଗ ଯେଉଁ ଜଙ୍ଗଲରୁ କାଠ ଆଣିବା ପାଇଁ କହିବ , ସେଠାରୁ କାଠ ଅଣାଯିବ । ମୁଖ୍ୟତଃ ନୟାଗଡ଼ କିମ୍ବା କେନ୍ଦୁଝର ଜଙ୍ଗଲରୁ କାଠ ଅଣାଯାଇଥାଏ । ତେଣୁ ବନ ବିଭାଗ ଯେଉଁ ଜଙ୍ଗଲ ଚିହ୍ନଟ କରିବ ସେହି ଜଙ୍ଗଲରୁ କାଠ ଆସିବ ।