ଉତ୍ତର ପ୍ରଦେଶ, ୪/୫ : ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ଏକାଧିକ ଥର ହତ୍ୟା ଧମକ ମିଳୁଛି । ଏହାରି ମଧ୍ୟରେ ପୁଣି ଥରେ ପୋଲିସ କଣ୍ଟ୍ରୋଲ ରୁମର ହ୍ୱାଟ୍ସଆପ ନମ୍ବରରେ କୌଣସି ସନ୍ଦିଗ୍ଧ ବାର୍ତ୍ତା ପଠାଇ ହତ୍ୟା ଧମକ ଦେଇଛି । ଘଟଣା ପରେ ଲଖନଉର ସୁଶାନ୍ତ ଗୋଲ୍ଫ ସିଟି ଥାନାରେ ଏକ ମାମଲା ରୁଜୁ ହୋଇଛି । ଏଥି ସହିତ ପୋଲିସ ଟିମ ସତର୍କ ରହିଛି । ଅଭିଯୁକ୍ତକୁ ଗିରଫ କରିବା ପୋଲିସ ଛାନ୍ଭିନ ଆରମ୍ଭ କରିଦେଇଛି ।
ରିପୋର୍ଟ ଅନୁସାରେ ଗୁରୁବାର ଅର୍ଥାତ ଗତ ଏପ୍ରିଲ ୨୯ ତାରିଖରେ ଉତ୍ତର ପ୍ରଦେଶ ପୋଲିସର ଜରୁରୀକାଳୀନ ସେବା ଡାଏଲ ୧୧୨ ହ୍ୱାଟ୍ସଆପ ନମ୍ବରରେ କୌଣସି ଏକ ସନ୍ଦିଗ୍ଧ ବ୍ୟକ୍ତି ବାର୍ତ୍ତା ପଠାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ହତ୍ୟା କରିବା ପାଇଁ ଧମକ ଦେଇଥିଲା । ଅଭିଯୁକ୍ତ ନିଜର ଧମକପୂର୍ଣ୍ଣ ବାର୍ତ୍ତାରେ ଲେଖିଥିଲା ଯେ, ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ୫ ଦିନ ଭିତରେ ହତ୍ୟା କରିବ । ଏଥି ସହିତ ବାର୍ତ୍ତାରେ ଲେଖାଥିଲା ଯେ, ଆଗାମୀ ୪ ଦିନ ଭିତରେ ମୋର ଯାହା କରିବା କଥା କରିନିଅ ।