ଆଇପିଏଲ୍ କ୍ରିକେଟ ବେଟିଂ : ଗଞ୍ଜାମରେ ଲକ୍ଷାଧିକ ଟଙ୍କା ସହ ୩ ଜଣଙ୍କୁ ଗିରଫ କଲା ଆସିକା ପୋଲିସ

ଖଲ୍ଲିକୋଟ, ୨୨/୧୦ : ଆଇପିଏଲ୍ କ୍ରିକେଟ ଭାରତରେ ଏଥର ହେଉ ନଥିଲେ ବି ସାଉଦି ଆରବରେ ଆୟୋଜିତ ହେଉଛି। କିନ୍ତୁ ଗଞ୍ଜାମରେ ବି କ୍ରିକେଟ ବେଟିଂ ଜୋରଦାର ହେଉଛି। କିଏ ଜିତିବ ଓ କିଏ ହାରିବ ତାକୁ ନେଇ ବୋଲି ଲାଗୁଥିବା ବେଳେ କିଏ ମାଲେମାଲ ହେଉଛି ତ ପୁଣି କିଏ ଟଙ୍କା ହାରି ପଶ୍ଚାତାପ କରୁଛି। ଏଭଳି ଢଙ୍ଗରେ ଏବେ ଗଞ୍ଜାମ ଅଞ୍ଚଳରେ ଆଇପିଏଲ୍ କ୍ରିକେଟ ବେଟିଂ ଜୋରଦାର ହେବାରେ ଲାଗିଛି। ଆଇପିଏଲ୍‌ରେ ବେଟିଂ କାରବାର ଚାଲିଥିବା ବେଳେ ତିନିଜଣଙ୍କୁ ଗିରଫ ସହ ସେମାନଙ୍କୁ ନିକଟରୁ ୧ଲକ୍ଷ ୨୭ହଜାର ୪୫୦ଟଙ୍କା ଜବତ କରିଛି ଆସିକା ପୋଲିସ ।

ଖବର ଅନୁଯାୟୀ, ଆସିକା ଅଞ୍ଚଳରେ ଗତକିଛି ଦିନ ହେଲା ଆଇପିଏଲ୍‌ ବେଟିଂ କାରବାର ଚାଲିଥିବା ପୋଲିସକୁ ଖବର ମିଳିଥିଲା । ତେବେ ପୋଲିସ ଘଟଣାରେ ତତ୍ପରତା ଦେଖାଇ ବିଳମ୍ବିତ ରାତିରେ ଚଢାଉ କରିଥିଲେ । ପୋଲିସ ଚଢାଉ ସମୟରେ ଆଇପିଏଲ୍‌ ବେଟିଂ କାରବାର ନେଇ ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ଲକ୍ଷ ୧୭ହଜାର ୪୫୦ଟଙ୍କା ଜବତ କରିଛି । ଏହାସହିତ ୫ଟି ମୋବାଇଲ ଫୋନ୍‌ ମଧ୍ୟ ଜବତ କରିଛି ଆସିକା ପୋଲିସ । ଆଇପିଏଲ୍ ସମ୍ପର୍କୀତ କିଛି ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏନେଇ ଥାନାରେ ୫୪୯/୨୦ ମାମଲା ରୁଜୁ ହୋଇଥିବା ଆସିକା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।