ଭାରତ ପହଞ୍ଚିଲା ଆଉ ୩ ରାଫେଲ ଯୁଦ୍ଧ ବିମାନ, ବଢ଼ିଲା ବାୟୁସେନା ଶକ୍ତି

ନୂଆଦିଲ୍ଲୀ, ୪/୧୧ : ଦ୍ଵିତୀୟ ପର୍ଯ୍ୟାୟରେ ଆଜି ଭାରତରେ ପହଞ୍ଚିଛି ଆଉ ୩ଟି ରାଫେଲ ବିମାନ । ଏଗୁଡ଼ିକ ଫ୍ରାନ୍ସରୁ ନିରବଚ୍ଛିନ୍ନ ଉଡ଼ାଣ କରି ଭାରତ ମାଟିରେ ରାତି ୮:୧୪ରେ ଓହ୍ଲାଇଛି । ଏହା ସହିତ ଭାରତୀୟ ବାୟୁସେନା ପାଖରେ ଥିବା ମୋଟ ରାଫେଲ ବିମାନ ସଂଖ୍ୟା ୮ରେ ପହଞ୍ଚିଛି ।

ପୂର୍ବରୁ ଜଣେ ସରକାରୀ ଅଧିକାରୀ କହିଥିଲେ, ଏହି ତିନୋଟି ଜେଟ୍‌ ଯାତ୍ରା ପଥରେ କୌଣସି ସ୍ଥାନରେ ଅବତରଣ କରିବେ ନାହିଁ। ଯାତ୍ରାକାଳରେ ହିଁ ଫ୍ରାନ୍‌ସ୍‌ ଓ ଭାରତୀୟ ଟ୍ୟାଙ୍କର୍‌ ସେଗୁଡ଼ିକରେ ଇନ୍ଧନ ଭରିବେ। ଜାମନଗରରେ ଗୋଟିଏ ଦିନର ବିରତି ପ‌ରେ ଜେଟ୍‌ଗୁଡ଼ିକ ଅମ୍ବାଲାରେ ପହଞ୍ଚିବ ବୋଲି ଆଶା କରାଯାଉଛି।

ପ୍ରଥମ ବ୍ୟାଚ୍‌ରେ ପାଞ୍ଚଟି ରାଫେଲ୍‌ ଜେଟ୍‌ ଜୁଲାଇ ୨୯ ତାରିଖ ଦିନ ଅମ୍ବାଲା ବିମାନଘାଟିରେ ପହଞ୍ଚିଥିଲା। ୫୯,୦୦୦ କୋଟି ଟଙ୍କା ବିନିମୟରେ ଭାରତ ଫ୍ରାନ୍‌ସ ସହ ଚୁକ୍ତି କରିଛି ଏବଂ ଏହି ଚୁକ୍ତି ଅନୁସାରେ ଭାରତ ମୋଟ ୩୬ଟି ରାଫେଲ୍‌ ବିମାନ ହାସଲ କରିବ । ପ୍ରତି ଦୁଇ ମାସରେ ତିନିରୁ ଚାରିଟି ରାଫେଲ୍‌ ଜେଟ୍‌ ଆସି ଭାରତରେ ପହଞ୍ଚିବ ବୋଲି ବାୟୁସେନା ଆଶା କରୁଛି।