ରାଜ୍ୟ ସରକାରଙ୍କ ୩ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ମିଳିବ ଏସିଏସ୍‌ ପାହ୍ୟା

ଭୁବନେଶ୍ୱର, ୨୯/୦୧ : ରାଜ୍ୟ ସରକାରଙ୍କ ୩ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ଖୁବ୍‌ଶୀଘ୍ର ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍‌) ପାହ୍ୟା ମିଳିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗୋପବନ୍ଧୁ ଏକାଡେମୀର ଡାଇରେକ୍ଟର ଜେନେରାଲ ତଥା ବରିଷ୍ଠ ଆଇଏଏସ୍‌ ଅଧିକାରୀ ଜି. ମାଥିଭାଥନନ୍‌ ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବା ପରେ ନୂତନ ଏସିଏସ୍‌ ନିଯୁକ୍ତି ଲାଗି ବାଟ ଖୋଲିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମାଥିଭାଥନନ୍‌ଙ୍କ ଅବସର ପରେ ରାଜ୍ୟ ସରକାରଙ୍କ ପାଖରେ ଗୋଟିଏ ଏସିଏସ୍‌ ପଦ ରହିବ। ଏହି ପରିପ୍ରେକ୍ଷୀରେ ୧୯୯୬ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀଙ୍କୁ ପଦୋନ୍ନତି ଦେବା ପାଇଁ ଭାରତ ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ୨ଟି ଅସ୍ଥାୟୀ ଏସିଏସ୍‌ ପାହ୍ୟା ଅନୁମତି ରାଜ୍ୟକୁ ମିଳିଛି। ଫଳରେ ଓଡ଼ିଶାର ୩ ଆଇଏଏସ୍‌ଙ୍କୁ ଏସିଏସ୍‌ ପାହ୍ୟା ପ୍ରଦାନ କରାଯାଇପାରିବ। ଏହି କ୍ରମରେ ୧୯୯୬ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତାଲିକାର ସର୍ବାଗ୍ରେ ରହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର। ଶାଶ୍ୱତଙ୍କ ପରେ ରହିଛନ୍ତି ସେହି ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ନଗର ଉନ୍ନୟନ, ବାଣିଜ୍ୟ ଏବଂ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ। ଉଷାଙ୍କ ପରେ ବରିଷ୍ଠ ଆଇଏଏସ୍‌ ତାଲିକାରେ ବୀର ବିକ୍ରମ ଯାଦବ ଓ ପରେ ଶକ୍ତି ଏବଂ ବୈଦ୍ୟୁତିକ, ସୂଚନା ପ୍ରଯୁକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ ଦେବ ରହିଛନ୍ତି।

ବୀର ବିକ୍ରମ ଯାଦବ କେନ୍ଦ୍ରୀୟ ଡେପୁଟେଶନରେ ରହିଥିବାରୁ ଏସିଏସ୍‌ ତାଲିକାରେ ଶାଶ୍ୱତ, ଉଷାଙ୍କ ପରେ ବିଶାଲଙ୍କୁ ଏହି ପାହ୍ୟାକୁ ପଦୋନ୍ନତି ମିଳିବ ବୋଲି ଜଣାଯାଇଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ୩୧ରେ ୧୯୯୬ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ତଥା କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ଏବଂ କେନ୍ଦ୍ରୀୟ ଡେପୁଟେଶନରେ ଥିବା ୧୯୯୫ ବ୍ୟାଚ୍‌ର ବରିଷ୍ଠ ଆଇଏଏସ୍‌ ସୁଶୀଲ କୁମାର ଲୋହାନୀଙ୍କୁ ଏସିଏସ୍‌ ପାହ୍ୟା ମିଳିଛି। ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ଜୁଲାଇରେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ମଧ୍ୟ ଅବସର ଗ୍ରହଣ କରିବାକୁ ରହିଛି। ତେବେ ମାଥିଭାଥନନ୍‌ଙ୍କ ଅବସର ପରେ ଉକ୍ତ ପଦ ଖାଲିପଡ଼ିବ। ଏହାସହିତ ପୂର୍ବରୁ କୃଷି ଉତ୍ପାଦନ କମିଶନର(ଏପିସି) ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡ଼ିଛି। ବହୁ ଆଇଏଏସ୍‌ଙ୍କ ହାତରେ ଏକାଧିକ ବିଭାଗ ଏବଂ ଦାୟିତ୍ୱ ରହିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ୩୦ରେ ୨୦୧୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ସୁଧାଂଶୁ ମୋହନ ସାମଲ, ରଶ୍ମିତା ପଣ୍ଡା, ଡ. ବୃନ୍ଦା ଡି., ସାଦିକ୍‌ ଆଲାମ, ମାନସୀ ନିମ୍ଭାଲ ଏବଂ ପ୍ରେମ୍‌ଚନ୍ଦ୍ର ଚୌଧାରୀଙ୍କୁ ସୁପରଟାଇମ୍‌ ସ୍କେଲ୍‌ ଅର୍ଥାତ୍‌ କମିଶନର ପାହ୍ୟାକୁ ପଦୋନ୍ନତି ମିଳିଛି। ଏସବୁକୁ ଦୃଷ୍ଟିରେ ରଖି ଆଇଏଏସ୍‌ସ୍ତରରେ ଖୁବ୍‌ଶୀଘ୍ର ବଡ଼ଧରଣର ଅଦଳବଦଳ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।