ଡେରାଡୁନ,୨୩/୫ : ଉତ୍ତରାଖଣ୍ଡ ସରକାର କୋଭିଡ୍-୧୯ ମହାମାରୀରେ ଅନାଥ ପିଲା କିମ୍ବା ଘରର ଏକ ମାତ୍ର ରୋଜଗାରିଆଙ୍କ ମୃତ୍ୟୁ ଉପରେ ପୀଡିତ ପରିବାରଙ୍କ ପାଇଁ ବଡ ଘୋଷଣା କରିଛନ୍ତି। ରାଜ୍ୟର ତୀରଥ ସିଂହ ରାଓ୍ଵତ ସରକାର ୨୧ ବର୍ଷ ବୟସ ପର୍ଯ୍ୟନ୍ତ ଅନାଥ ପିଲାଙ୍କ ପଢାଖର୍ଚ୍ଚ ବହନ କରିବା ସହ ପ୍ରତି ମାସରେ ୩ ହଜାର ଟଙ୍କା ପ୍ରଦାନ କରିବେ। ଶନିବାର ମୁଖ୍ୟମନ୍ତ୍ରୀ ଏମିତି ପିଲାଙ୍କ ପାଇଁ ବାତ୍ସଲ୍ୟ ଯୋଜନା ଘୋଷଣା କରିଛନ୍ତି।
ସେ କହିଛନ୍ତି, କରୋନା କାଳରେ ଯେଉଁ ପିଲା ନିଜର ବାପା-ମାଙ୍କୁ ହରାଇଛନ୍ତି, ସେହି ପିଲାଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଅନାଥ ପିଲାଙ୍କ ବୟସ ୨୧ ବର୍ଷ ହେବା ପର୍ଯ୍ୟନ୍ତ ସେମାନଙ୍କ ଭରଣପୋଷଣ, ଶିକ୍ଷା ସହିତ ରୋଜଗାରର ପୂର୍ବ ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ କରାଯିବ। ଅନାଥ ପିଲାଙ୍କ ପୈତୃକ ସଂପତ୍ତି ପାଇଁ ନିୟମ ମଧ୍ୟ ପ୍ରସ୍ତୁତ କରାଯିବ। ଏହା ଅନୁଯାୟୀ ପିଲା ସାବାଳକ ହେବା ପର୍ଯ୍ୟନ୍ତ ପୈତୃକ ସଂପତ୍ତି ବିକ୍ରି କରିବାର ଅଧିକାର କାହାରିକୁ ମିଳିବ ନାହିଁ। ଏହାର ଦାୟିତ୍ଵ ଜିଲ୍ଲାପାଳଙ୍କ ହାତରେ ରହିବ।
ଏପରିକି କୋଭିଡ୍ ମହାମାରୀ କାରଣରୁ ଅନାଥ ପିଲାଙ୍କୁ ସରକାରୀ ଚାକିରିରେ ପାଞ୍ଚ ପ୍ରତିଶତ ସଂରକ୍ଷଣ ମଧ୍ୟ ଦିଆଯିବ। ଯେଉଁପରିବାରର ଏକ ମାତ୍ର ରୋଜଗାର କରୁଥିବା ବ୍ୟକ୍ତିଙ୍କ କରୋନା ସଂକ୍ରମଣରେ ପ୍ରାଣହାନୀ ଘଟିଥିବ ତେବେ ଉକ୍ତ ପରିବାରକୁ ମଧ୍ୟ ଏସବୁର ଲାଭ ମିଳିବ।