କଥା ଦେଇ ଠକିଦେଲେ! ବାହାହେବାକୁ ଆସିଲେଣି ତିର୍ତ୍ତୋଲ ବିଧାୟକ, ଅପେକ୍ଷା କରି ଫେରିଗଲେ ପ୍ରେମିକା

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ପ୍ରେମ ବିବାହକୁ ନେଇ ବଢ଼ିଲା ଅଡ଼ୁଆ । ବାହା ହେବାକୁ କହି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଆସି ନଥିବା ଅଭିଯୋଗ କରିଛନ୍ତି ପ୍ରେମିକା ସୋମାଲିକା । ଜଗତସିଂହପୁର ଜିଲ୍ଲା ସବରେଜିଷ୍ଟ୍ରାର ଅଫିସରେ ଅପେକ୍ଷା କରି ଫେରିଛନ୍ତି ସୋମାଲିକା ।

ତେବେ ପ୍ରେମ କରି ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ବିଜୟ ଶଙ୍କର ଦାସ । ଆଜି ବିବାହର ତାରିଖ ଥିବା ବେଳେ ସେ କିନ୍ତୁ କୋର୍ଟକୁ ଆସିନଥିଲେ । ଗତ ମାସ ୧୭ ତାରିଖରେ ବିଜୟ ଏବଂ ପ୍ରେମିକା ବିବାହ ପାଇଁ ସବରେଜିଷ୍ଟ୍ରୀ ଅଫିସରେ ଆବେଦନ କରିଥିଲେ । ବିବାହ ପଞ୍ଜୀକରଣ କରିଥିଲେ ବିଧାୟକ ଏବଂ ପ୍ରେମିକା । ତେବେ ମାସକ ପରେ ଆଜି ପ୍ରେମିକା କୋର୍ଟରେ ପହଞ୍ଚିଥିବା ବେଳେ ବିଧାୟକ ବିଜୟ ଶଙ୍କର ଦାସ ନଆସି ଧୋକା ଦେଇଛନ୍ତି ।

ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ବିଧାୟକ ନ ଆସିବାରୁ ବାଧ୍ୟ ହୋଇ ଫେରି ଆସିଛନ୍ତି ପ୍ରେମିକା । ଏହାପରେ ବିଧାୟକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ବିବାହ ପ୍ରତିଶ୍ରୁତି ଦେଇ ବିଧାୟକ ଠକି ଦେଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ସେ ଚିଟ କରିଛନ୍ତି କିମ୍ବା ତାଙ୍କୁ କିଏ ଅପହରଣ କରିଥିବା କହିଛନ୍ତି ବିଧାୟକଙ୍କ ପ୍ରେମିକା ।

ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ବିଜୟ ଶଙ୍କର । ୯୦ ଦିନ ମଧ୍ୟରେ ବିବାହ କରିବା ଉଚିତ । କିନ୍ତୁ ଆଜି ୩୦ ଦିନ ହୋଇଛି, ହାତରେ ଆହୁରି ୬୦ ଦିନ ବାକି ଅଛି ବୋଲି କହିଛନ୍ତି ବିଧାୟକ ବିଜୟ ଶଙ୍କର । ଏହା ସହିତ ବିବାହ ପଞ୍ଜୀକରଣ ନେଇ ତାଙ୍କୁ କେହି କିଛି କହି ନଥିବା ବିଧାୟକ ପ୍ରକାଶ କରିଛନ୍ତି ।