ପଶ୍ଚିମବଙ୍ଗରେ ୨୯୧ ଆସନ ପାଇଁ ଟିଏମସିର ପ୍ରାର୍ଥୀ ତାଲିକା ଘୋଷଣା : ନନ୍ଦିଗ୍ରାମରୁ ଲଢିବେ ମମତା

କୋଲକାତା,୫ /୩: ପଶ୍ଚିମବଙ୍ଗ ବିଧାନସଭା ନର୍ବାଚନ ପାଇଁ ଆଜି ତୃଣମୂଳ କଂଗ୍ରେସ ୨୯୪ ବିଧାନସଭା ଆସନରୁ ୨୯୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ କେବଳ ୨୯୧ ଆସନ ପାଇଁ ହିଁ ନିର୍ବାଚନ ଲଢିବ। ବାକି ୩ ଆସନରେ ସହଯୋଗୀ ନିର୍ବାଚନ ଲଢିବେ। ଶୁକ୍ରବାରକୁ ଟିଏମ୍‌ସସି ସୁପ୍ରିମୋ ମମତା ବାନାର୍ଜୀ ନିଜର ଶୁଭ ଦିନ ବୋଲି ଭାବନ୍ତି, ତେଣୁ ଏହି ଦିନ ହିଁ ପ୍ରାର୍ଥୀ ତାଲିକା ଘୋଷଣା କରିବା ପାଇଁ ସେ ସ୍ଥିର କରିଥିଲେ ବୋଲି ତାଙ୍କ ଘନିଷ୍ଠ ବନ୍ଧୁମାନେ କହିଛନ୍ତି। ଚଳିତ ଥର ୨୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ନୂଆ ଚେହେରା ଦେଖିବାକୁ ମିଳିବ। ସେହିପରି ୫୦ ମହିଳା, ୪୨ ମୁସଲମାନ ପ୍ରାର୍ଥୀ, ଏସସି ୭୯ ଏବଂ ଏସଟି ଶ୍ରେଣୀର ୧୭ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଯାଇଛି।

ମମତା ନିଜ ପୂର୍ବ ଘୋଷଣା ଅନୁଯାୟୀ ନନ୍ଦିଗ୍ରାମ ବିଧାନସଭା ଆସନରୁ ନିର୍ବାଚନ ଲଢିବେ। ତାଙ୍କର ବର୍ତ୍ତମାନର ଆସନ ଭବାନୀପୁରରୁ ଚଳିତ ଥର ସେ ନିର୍ବାଚନ ଲଢ଼ିବେ ନାହିଁ। ଏହି ଆସନରୁ ଶୋଭନଦେବ ଚଟ୍ଟୋପାଧ୍ୟାୟ ପ୍ରାର୍ଥୀ ହୋଇଛନ୍ତି। ନନ୍ଦିଗ୍ରାମରୁ ମମତାଙ୍କ ପୂର୍ବତନ ସହଯୋଗୀ ତଥା ବର୍ତ୍ତମାନର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି। ସେହିପରି ନିକଟରେ ଟିଏମସିରେ ସାମିଲ ହୋଇଥିବା ପୂର୍ବତନ କ୍ରିକେଟର ମନୋଜ ତିୱାରୀ ହାୱଡ଼ାର ଶିବପୁରରୁ ନିର୍ବାଚନ ଲଢିବେ।

ତେବେ ପୂର୍ବତନ ମନ୍ତ୍ରୀ ଅମିତ ମିତ୍ର ଏବଂ ମନ୍ତ୍ରୀ ପୁର୍ଣ୍ଣେନ୍ଦୁ ବସୁ ନିର୍ବାଚନ ଲଢ଼ିବେ ନାହିଁ। ପଶ୍ଚିମବଙ୍ଗ ବିଧାନ ପରିଷଦରେ ଏହି ଦୁଇ ନେତାଙ୍କୁ ଥଇଥାନ କରାଯିବ ବୋଲି ମମତା କହିଛନ୍ତି। ମମତା ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସମୟରେ ମନ୍ତ୍ରୀ ଫିରହାଦ ହାକିମ, ମନ୍ତ୍ରୀ ପାର୍ଥ ଚାଟାର୍ଜି, ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ।