ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସମନ ଜାରି କଲା ସିବିଆଇ, ୨୪ ଘଣ୍ଟାରେ ହାଜର ହେବାକୁ ନୋଟିସ୍

କୋଲକାତା ୨୧/୨ : କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (CBI) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ସମନ ଜାରି କରିଛି । ସିବିଆଇର ଏକ ଟିମ୍‌ ରବିବାର କୋଲ୍‌ ସ୍ମଗଲିଙ୍ଗ୍‌ ମାମଲାରେ ପଚରାଉଚରା ପାଇଁ ସମନ ନେଇ ଅଭିଷେକ ବାନାର୍ଜୀଙ୍କ ଘରେ ପହଞ୍ଚିଛି ।

ପ୍ରଥମ ଥର ପାଇଁ କୋଇଲା ତସ୍କରୀ ମାମଲାରେ ପଚରାଉଚରା କରିବା ପାଇଁ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସମନ ଜାରି କରିଛି । ସିବିଆଇ ନୋଟିସ୍‌ ମୁତାବକ ୨୪ ଘଣ୍ଟା ମଧ୍ୟରେ ଅଭିଷେକଙ୍କୁ ହାଜର ହେବାକୁ କୁହାଯାଇଛି । ଏହା ପୂର୍ବରୁ ମଧ୍ୟ ଅଭିଷେକଙ୍କ ଖାସ୍‌ ସହଯୋଗୀମାନଙ୍କ ଘରେ ଚଢଉ କରିଥିଲା ସିବିଆଇ ।

ଏହା ପୂର୍ବରୁ ୨୮ ନଭେମ୍ବର ୨୦୨୦ରେ ୩ଟି ରାଜ୍ୟର ପ୍ରାୟ ୪୦ଟି ସ୍ଥାନରେ ଚଢଉ କରିଥିଲା ସିବିଆଇ । ଏଥିରେ ପଶ୍ଚିମବଙ୍ଗ ମଧ୍ୟ ସାମିଲ ଥିଲା । କୋଲକାତା ସମେତ, ଆସନସୋଲ, ଦୁର୍ଗାପୁର, ରାଣୀଗଞ୍ଜ୍‌, ବର୍ଦଓ୍ବାନ୍‌ ଏବଂ ୨୪ ପ୍ରଗଣାରେ ମଧ୍ୟ ଚଢଉ କରିଥିଲା ସିବିଆଇ । କୋଇଲା ଚୋରା ଚାଲାଣର କିଙ୍ଗ୍‌ପିନ୍‌ କୁହାଯାଉଥିବା ଅନୁପ ମାଝୀର ବେଙ୍ଗଲ ଏବଂ ଝାଡଖଣ୍ଡରେ କାରବାର ରହିଥିଲା । ଏହା ସହିତ ପଶ୍ଚିମବଙ୍ଗରେ ଅନୁପ ମାଝୀର ରାଜନୈତିକ ପତିଆରା ମଧ୍ୟ ଅଧିକ । ତେଣୁ ଆଗକୁ ପଶ୍ଚିମବଙ୍ଗରେ ସିବିଆଇ କାହାକୁ ଫାଶରେ ପକାଉଛି ତାହା ଦେଖିବା ବାକି ରହିଲା ।