ଆଜି ଭାରତ ବନ୍ଦ : ପ୍ରଭାବିତ ହେବେ ସାଧାରଣ ଜନତା

ନୂଆଦିଲ୍ଲୀ, ୮/୧୨ : କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ଦିନ ଧରି କୃଷକଙ୍କ ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଆଜି ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ୪ ଘଣ୍ଟା କାଳ ଏହି ବନ୍ଦ ପାଳନ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ’ଭାରତ ବନ୍ଦ’ର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାମଦଳ ଗୁଡ଼ିକ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଏଥିସହିତ ବିଭିନ୍ନ ସ୍ଥାନରେ ପିକେଟିଂ ସହ ଟାୟାର ଜାଳି ରାସ୍ତାରୋକ ଜାରି ରହିଥିବା ଦେଖିବାକୁ ମିଳିଛି। ବନ୍ଦ ବେଳେ ଯେମିତି କିଛି ବିଶୃଙ୍ଖଳା ନ ଉପୁଜେ, ସେଥିପାଇଁ କୃଷକ ନେତାମାନେ ଦେଶବାସୀଙ୍କୁ ନିବେଦନ କରିଛନ୍ତି।​‌ ବିଶେଷକରି ସର୍ବସାଧାରଣ ଯେମିତି କିଛି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ତା’ଉପରେ ସେମାନେ ଗୁରୁତ୍ବ ଦେଇଛନ୍ତି। ଭାରତୀୟ କିଷାନ ୟୁନିୟନର ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି ଯେ ବନ୍ଦବେଳେ ଯେମିତି ସାଧାରଣ ଜନତା ପ୍ରଭାବିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯାଉଛି। ସରକାରୀ ଚାକିରିଆଙ୍କୁ କାର୍ଯ୍ୟାଳୟରେ ଯୋଗଦେବା ଓ ଘରକୁ ଫେରିବାରେ ସୁବିଧା ପାଇଁ ବନ୍ଦ ସମୟ ଦିନ ୧୧ଟାରୁ ୩ଟା ଧାର୍ଯ୍ୟ କରାଯାଇଥିବା ସେ କହିଛନ୍ତି।

ଭୁବନେଶ୍ୱର ରେଳ ଷ୍ଟେସନରେ ବାମଦଳଗୁଡ଼ିକ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଫଳରେ ଷ୍ଟେସନରେ ବହୁ ଦୂରଗାମୀ ଟ୍ରେନ୍‌ଗୁଡ଼ିକ ଅଟକି ରହିଛି। ଏଥିସହିତ ଗୁଣପୁର ଓଭର ବ୍ରିଜରେ ସିପିଆଇ(ଏମ୍‌) ପକ୍ଷରୁ ବନ୍ଦ ପାଳନ କରାଯାଇ ରାସ୍ତାରୋକ ଜାରି ରହିଛି। ଫଳରେ ରାଜପଥରେ ବହୁ ସଂଖ୍ୟାରେ ଗାଡି ଅଟକି ରହିଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ। କିନ୍ତୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚକା‌ ଜାମ୍‌ ହେବ ବୋଲି ଜଣାଯାଇଛି। ଭାରତ ବନ୍ଦକୁ କଂଗ୍ରେସ ସମେତ ୧୮ଟି ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। ବନ୍ଦକୁ କଂଗ୍ରେସ, ଡିଏମ୍‌କେ, ଏନ୍‌ସିପି, ସମାଜବାଦୀ ପାର୍ଟି, ବାମଦଳ, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି, ଆସାମ ଗଣ ପରିଷଦ, ତେଲେଙ୍ଗାନା ରାଷ୍ଟ୍ର ସମିତି, ଆମ୍‌ ଆଦ୍‌ମି ପାର୍ଟି, ଶିବସେନା ପ୍ରମୁଖ ରାଜନୈତିକ ଦଳମାନେ ସମର୍ଥନ ଘୋଷଣା କରିଛନ୍ତି।