ଆଜି ବିମୁଦ୍ରାୟନ ଉପରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ,୨/୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୬ ନଭେମ୍ବର ୮ରେ ଅତର୍କିତ ଭାବରେ କାର୍ଯ୍ୟକାରୀ କରାଯାଇଥିବା ବିମୁଦ୍ରାୟନକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଆଗତ ଏକାଧିକ ଆବେଦନର ଶୁଣାଣି ଶେଷ ହୋଇଛି। ଆଜି ତାହାର ରାୟ ପ୍ରକାଶ ପାଇବ। ଗତ ଡିସେମ୍ବର ୭ ତାରିଖରେ ସୁପ୍ରିମକୋର୍ଟରେ ମାମଲାର ଶେଷ ଶୁଣାଣି କରାଯାଇଥିଲା। ପରେ ସର୍ବୋଚ୍ଚ ଅଦାଲତ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ସୂଚନାଯୋଗ୍ୟ ଯେ ୨୦୧୬ରେ ନରେନ୍ଦ୍ର ମୋଦୀଙ୍କ ସରକାର ସେତେବେଳେ ପ୍ରଚଳିତ ଥିବା ୧ହଜାର ଓ ୫ଶହ ଟଙ୍କିଆ ନୋଟ୍‌‌ଗୁଡିକୁ ଅଚଳ ଘୋଷଣା କରିଥିଲେ। ତାହାକୁ ନେଇ ଦେଶରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ଚାଲେଞ୍ଜ କରି ଦେଶର ସର୍ବୋଚ୍ଚ ଅଦାଲତରେ ଏକାଧିକ ଆବେଦନ ଦାଏର କରାଯାଇଥିଲା। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟସ ଏସ ଏ ନାଜିରଙ୍କ ନେତୃତ୍ୱରେ ଗଠିତ ପାଞ୍ଚଜଣିଆ ସାମ୍ବିଧାନିକ ପୀଠରେ ଏଗୁଡିକର ଶୁଣାଣି ହୋଇସାରିଛି। ଉକ୍ତ ପୀଠରେ ଜଷ୍ଟିସ ବି ଆର ଗଭାଇ, ଜଷ୍ଟିସ ବି ଭି ନାଗରତ୍ନ, ଜଷ୍ଟିସ ଏ ଏସ ବୋପାନ୍ନା ଏବଂ ଜଷ୍ଟିସ ଭି ରାମସୁବ୍ରମନିଅନ୍‌‌ ରହିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ପି ଚିଦମ୍ବରମ୍‌‌ ଯୁକ୍ତି ଦର୍ଶାଇଥିଲେ ଯେ ୫ଶହ ଏବଂ ୧ହଜାର ଟଙ୍କିଆ ନୋଟ ଅଚଳ କରିଦିଆଯିବା ଘଟଣା ସମ୍ପୂର୍ଣ୍ଣ ଭାବରେ ବେଆଇନ ଥିଲା। ସରକାର ବ୍ୟାଙ୍କ ନୋଟ ସମ୍ପର୍କରେ ନିଜଆଡୁ କୌଣସି ପଦକ୍ଷେପ ନେଇପାରିବେ ନାହିଁ ଏବଂ ତାହା କେବଳ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ରୀୟ ବୋର୍ଡ ସୁପାରିଶ ଅନୁଯାୟୀ କରାଯାଇପାରିବ। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ବିମୁଦ୍ରାୟନ ଏକ ସୁଚିନ୍ତିତ ନିଷ୍ପତ୍ତି ଥିଲା ଏବଂ ଜାଲ ଟଙ୍କା କାରବାର, ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ, କଳାଟଙ୍କା କାରବାର ଓ ଟିକସ ଠକେଇ ଆଦି ରୋକିବାକୁ ପ୍ରସ୍ତୁତ ଏକ ବୃହତ୍ତର ରଣକୌଶଳର ଏହା ଅଂଶବିଶେଷ ଥିଲା।

SBI_Festive_Digital Billboard