ଭୁବନେଶ୍ୱର, ୯/୫ : ମାଆ ସେ ଜନନୀ, ସେ ଜଗଧାତ୍ରୀ । ସେଥିପାଇଁ କୁହାଯାଏ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ । ମାଆଠୁ ବଳି ଦୁନିଆରେ କିଛି ବି ନାହିଁ । ମାଆ ପଣତରେ ଥରେ ପୋଛିହୋଇଗଲେ ସବୁ ଦୁଃଖ ପାଶୋରି ହୋଇଯାଏ । ତାର ଲାଳନ ପାଳନରେ ଥାଏ ଅନାବିଳ ସ୍ନେହ । ତା ଭଲପାଇବାର ନାହିଁ ତୁଳନା । ସେ ଅତୁଳନୀୟ । ଆଜି ଅନ୍ତର୍ଜାତୀୟ ମାତୃ ଦିବସ । ମା ମାନଙ୍କୁ ସମ୍ମାନିତ କରିବାର ଦିନ ।
ପରିବାର ମଧ୍ୟରେ ମାତୃ ବନ୍ଧନ ଭାବରେ ସାରା ବିଶ୍ୱରେ ପାଳନ କରାଯାଏ । ଏହା ଏକ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଯାହା ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ପଡେ । ତେବେ ଏଠାରେ କହିରଖୁ ଯେ, ମାଆମାନଙ୍କ ପାଇଁ ସବୁଦିନ ଚିର ନମସ୍ୟ । ପରିବାର ପ୍ରତି ସେମାନଙ୍କର ଅକ୍ଲାନ୍ତ ଅବଦାନ, ଅନେକ ବଳିଦାନ ଏକ ଉଲ୍ଲେଖ ଏବଂ ସ୍ୱୀକୃତି ପାଇବାକୁ ଯୋଗ୍ୟ ।
ଆମ ଜୀବନରେ ମାଆ ପରି ବ୍ୟକ୍ତିତ୍ୱ, ଯେଉଁମାନେ ଆମକୁ ପ୍ରତିଦିନ ପ୍ରେରଣା ଦିଅନ୍ତି ଏବଂ ଆମକୁ ଭଲ ଲୋକ ହେବାକୁ ଆଗକୁ ବଢାଇବାର ଉତ୍ସ ଦେଇଥାନ୍ତି । ବିଶ୍ୱାସ କରାଯାଏ ଯେ ଆଧୁନିକ ମାତୃ ଦିବସ ଉତ୍ସବ ପ୍ରଥମେ ୧୯୦୮ ରେ ଆମେରିକାରେ ପଶ୍ଚିମ ଭର୍ଜିନିଆରୁ ଆରମ୍ଭ ହୋଇଥିଲା । ଯେତେବେଳେ ଆନ୍ନା ଜାରଭିସ୍ ନାମକ ଜଣେ ମହିଳା ଏହି ଦିନକୁ ସ୍ମରଣ କରିବାକୁ ଚାହୁଁଥିଲେ କାରଣ ତାଙ୍କ ନିଜ ମା ଏପରି ଇଚ୍ଛା ପ୍ରକାଶ କରିଥିଲେ ।