ନୂଆଦିଲ୍ଲୀ, ୨୬/୦୨ : ଆଜି ଭାରତ-ଜିମ୍ବାୱେ ମହାଲଢ଼େଇ । ଭାରତ ଜିତିଲେ ସେମିଫାଇନାଲ ଆଶା ନ ହେଲେ ବିଦା । ସେମିଫାଇନାଲ ଦୌଡ଼ରେ ରହିବାକୁ ହେଲେ ଜିମ୍ବାୱେକୁ ଭାରତ ହରାଇବାକୁ ପଡ଼ିବ । କ୍ୟାପଟେନ ସୂର୍ଯ୍ୟକୁମାରଙ୍କ ପାଇଁ ଅଗ୍ନିପରୀକ୍ଷା । ପୂର୍ବରୁ ଟି-୨୦ ବିଶ୍ବକପ ଦାବିଦାର କୁହାଯାଉଥିବା ଭାରତ ସୁପର-୮ ପର୍ଯ୍ୟାୟରେ ଏକ କଷ୍ଟକର ସ୍ଥିତିରେ ପହଞ୍ଚିଛି । ଦକ୍ଷିଣ ଆଫ୍ରିକାଠାରୁ ୭୬ ରନ୍ ରେ ଶୋଚନୀୟ ଭାବେ ହାରିବା ପରେ, ଆଜି ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଜିମ୍ବାୱେ ବିରୋଧରେ ଭାରତ ପାଇଁ ଏହା ଏକ ‘ମଷ୍ଟ-ଉଇନ୍’ ବା ଜିତିବା ନିହାତି ଜରୁରୀ ମ୍ୟାଚ୍ । ଭାରତ ଏବେ ଗ୍ରୁପ୍ ର ତୃତୀୟ ସ୍ଥାନରେ ଅଛି । କେବଳ ଜିତିଲେ ହେବନି, ବରଂ ବଡ଼ ବ୍ୟବଧାନରେ ଜିତି ନେଟ୍ ରନ୍ ରେଟ୍ ସୁଧାରିବାକୁ ପଡ଼ିବ । ଚେପକ୍ ପିଚ୍ ଏଥର ବ୍ୟାଟରଙ୍କୁ ସୁହାଇବ । ୧୭୦-୧୮୦ ରନ୍ ହେବାର ସମ୍ଭାବନା ଅଛି । ସନ୍ଧ୍ୟାରେ କାକର ପଡ଼ୁଥିବାରୁ ଟସ୍ ଜିତିବା ଦଳ ପାଇଁ ଫାଇଦା ହେବ । ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହୋଇପାରେ । ଲଗାତାର ଫ୍ଲପ୍ ହେଉଥିବା ଟପ୍-ଅର୍ଡରକୁ ନେଇ ଚିନ୍ତାରେ କୋଚ୍ ଗୌତମ ଗମ୍ଭୀର । ଅଭିଷେକ ଶର୍ମାଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରେ । ସେହିପରି ଅକ୍ଷର ପଟେଲ ଏବଂ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏହି ମ୍ୟାଚ୍ ରେ ଏକ୍ସ-ଫ୍ୟାକ୍ଟର ସାଜିପାରନ୍ତି । ସିକନ୍ଦର ରଜାଙ୍କ ନେତୃତ୍ୱରେ ଜିମ୍ବାୱେ ଦଳ ବଡ଼ ବଡ଼ ଦଳକୁ ହରାଇବାର କ୍ଷମତା ରଖେ । ସେମାନଙ୍କ ସ୍ପିନ୍ ଆକ୍ରମଣ ଭାରତୀୟ ବ୍ୟାଟରଙ୍କୁ ଅସୁବିଧାରେ ପକାଇପାରେ ।