ନୂଆଦିଲ୍ଲୀ,୧ /୨ : ଆଜି ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପୂର୍ବାହ୍ନ ୧୧ରେ ବଜେଟ୍ ଉପସ୍ଥାପନ କରାଯିବ। ଏହାକୁ ଲୋକସଭା ଟିଭିରେ ସିଧା ପ୍ରସାରଣ କରାଯିବ। ୟୁଟ୍ୟୁବ୍, ଫେସବୁକ୍ ଓ ଟ୍ବିଟର୍ରେ ଲାଇଭ୍ ଷ୍ଟ୍ରିମିଂ କରାଯିବ। ଏହା ବ୍ୟତୀତ ବଜେଟ୍ର ସିଧାପ୍ରସାରଣକୁ ବିଭିନ୍ନ ନିଉଜ୍ ଚ୍ୟାନେଲ୍ରେ ମଧ୍ୟ ଦେଖିହେବ।
କରୋନା ମହାମାରୀ ପରବର୍ତୀ ସମୟର ଏହା ପ୍ରଥମ ବଜେଟ୍ ହୋଇଥିବାରୁ ଅନେକ ରିହାତି ମିଳିପାରେ ବୋଲି ସମାଜର ବିଭିନ୍ନ ବର୍ଗ ଅନାଇ ବସିଛନ୍ତି। ବ୍ୟକ୍ତିଗତ ଆୟକରରେ ରିହାତି ମିଳିବ ବୋଲି ମଧ୍ୟବିତ୍ତ ବର୍ଗ ଓ ବେତନଭୋଗୀମାନଙ୍କର ଆଶା ରହିଛି। ମହାମାରୀ ସମୟରେ ଅନେକ ଲୋକ ଜୀବିକା ହରାଇଥିବାରୁ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ନେଇ କିଛି ନୂଆ ଯୋଜନା କିମ୍ବା ସ୍କିମ୍ ଘୋଷଣା ହେବାର ସମ୍ଭାବନା ରହିଛି। ବିଶେଷ କରି ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଘୋଷଣା ଆଶା କରାଯାଉଛି। ଶିକ୍ଷା, ସ୍ବାସ୍ଥ୍ୟ ଓ ଗ୍ରାମୀଣ ବିକାଶ ପାଇଁ ବ୍ୟୟବରାଦ ବଢ଼ିବାର ସମ୍ଭାବନା ରହିଛି।